
ଅଧିକ ବର୍ଷା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ପଙ୍କ ଉଦ୍ଧାର ଓ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା କାର୍ଯ୍ୟ ଜାରି
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟର ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା ସହ ଡ୍ରେନେଜ୍ ସଫେଇ, ପଙ୍କ ଉଦ୍ଧାର ଓ ଅବରୋଧ ହଟାଇବା କାର୍ଯ୍ୟକୁ ଜଳ ସମ୍ପଦ ବିଭାଗ ଜୋରଦାର କରିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ଏହି କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଭୁବନେଶ୍ୱରର ଜାତୀୟ ରାଜପଥ ବାଇପାସ୍ ର ନିକଟସ୍ଥ ଗଙ୍ଗୁଆ ନାଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଯାଉଛି। ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ ପକ୍ଷରୁ ସାପୁଆ ନାଳ, ବାହାନା ନାଳ ଓ ସୂର୍ଯ୍ୟ ନାଳରେ ଯାଂଚ, ପଙ୍କ ଉଦ୍ଧାର ଓ ଆବର୍ଜନା ସଫେଇ କାର୍ଯ୍ୟ ଚାଲିଛି। ସେହିପରି ଦିଗପହଣ୍ଡି ବ୍ଲକ୍ ର ଫାସିଗୁଡ଼ା ଗ୍ରାମ ନିକଟସ୍ଥ ତପ୍ତପାଣି ନାଳରେ ମଧ୍ୟ ଅବରୋଧ ହଟାଯାଉଛି।
ବିଭାଗୀୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜଳବନ୍ଦୀ ପ୍ରବଣ ଅଂଚଳ ଓ ପ୍ରମୁଖ ଜଳ ନିଷ୍କାସନ ପଥଗୁଡ଼ିକର ନିୟମିତ ଯାଂଚ କରୁଛନ୍ତି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।
ବର୍ଷାଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା, ଜଳବନ୍ଦୀ ଓ ବନ୍ୟା ଆଶଙ୍କା ହ୍ରାସ କରିବା ସହ ଜନଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ନିରନ୍ତର ନଜର ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା