
୧.୦୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର; ୬,୧୦୯ ସମ୍ବେଦନଶୀଳ
ସ୍ଥାନ ଚିହ୍ନଟ, ୬୦ ଓଡ୍ରାଫ୍ ଓ ୧୪
ଏନ୍ଡିଆର୍ଏଫ୍ ଟିମ୍ ମୁତୟନ
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)। ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା
ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ
ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଉଦ୍ଧାର, ରିଲିଫ୍ ଓ
ଜରୁରୀକାଳୀନ ସେବାକୁ ଜୋରଦାର କରାଯାଇଛି। ଜିରୋ କାଜୁଆଲିଟି ବା ଶୂନ୍ୟ ମୃତ୍ୟୁ ସରକାରଙ୍କ
ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ଗୁରୁବାର ସକାଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ
ସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ ଅନୁଯାୟୀ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ
ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ରହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ
ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି।
୬,୧୦୯ ସମ୍ବେଦନଶୀଳ
ସ୍ଥାନ ଚିହ୍ନଟ, ୧ ଲକ୍ଷରୁ ଅଧିକ
ଲୋକ ସ୍ଥାନାନ୍ତର
ବାତ୍ୟା ଆଶଙ୍କା ଥିବା ୬,୧୦୯ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇ ସେଠାରୁ ଲୋକଙ୍କୁ
ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନାନ୍ତର ପ୍ରକ୍ରିୟା
ଗୁରୁବାର ସକାଳେ ମଧ୍ୟ ଜାରି ରହିଛି। ଆବଶ୍ୟକତା ଅନୁଯାୟୀ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଲୋକଙ୍କୁ
ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୯,୨୯୯ଟି ବାତ୍ୟା
ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି। ଏହି ଆଶ୍ରୟସ୍ଥଳଗୁଡ଼ିକରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଜରୁରୀ ଔଷଧ, ସାନିଟାରୀ ନାପକିନ୍
ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯାଉଛି। ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଖାଦ୍ୟ
ବ୍ୟବସ୍ଥା ରହିଛି। ଆଶ୍ରୟସ୍ଥଳରେ ସହାୟତା ପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ
କରାଯାଇଛି।
ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ନଭେମ୍ବର ୩୦ ସୁଦ୍ଧା ପ୍ରସବ
ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର
କରାଯାଇଛି।
ଏଯାବତ୍ ପ୍ରାୟ ୧,୦୫,୩୦୪ ଜଣଙ୍କୁ ସ୍ଥାନାନ୍ତର
କରାଯାଇ ୧,୨୨୪ଟି ବାତ୍ୟା ଓ
ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୪୫,୩୬୪ ଏବଂ ଗଜପତି
ଜିଲ୍ଲାରେ ୧୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଜପତି ଓ କନ୍ଧମାଳ ଜିଲ୍ଲାର ଭୂସ୍ଖଳନ
ପ୍ରବଣ ଅଞ୍ଚଳ ଏବଂ ପାହାଡ଼ ପାଦଦେଶରେ ଥିବା ଗ୍ରାମଗୁଡ଼ିକରୁ ମଧ୍ୟ ଲୋକଙ୍କୁ ସୁରକ୍ଷିତ
ସ୍ଥାନକୁ ନିଆଯାଉଛି।
୨୯୫ ଉଦ୍ଧାରକାରୀ ଟିମ୍ ମୁତୟନ
ବାତ୍ୟା ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି
ଓଡ୍ରାଫ୍ ଟିମ୍, ୧୪ଟି ଏନ୍ଡିଆର୍ଏଫ୍
ଟିମ୍ ଏବଂ ଅଗ୍ନିଶମ ବିଭାଗର ୨୨୧ଟି ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। ଆବଶ୍ୟକ
ପଡ଼ିଲେ ଅଧିକ ଟିମ୍ ନିୟୋଜିତ କରାଯିବ।
ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି
ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ପକ୍ଷରୁ ୧୦୦ଟି ଟିମ୍ ନିୟୋଜିତ କରାଯାଇଛି। ନେଟୱର୍କ
ସମସ୍ୟା ଥିବା ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବା ପାଇଁ ଟେଲିକମ୍ ବିଭାଗ
ପକ୍ଷରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ମୋବାଇଲ୍ ସେବା ପ୍ରଦାନ ପାଇଁ 'ସେଲ୍ ଅନ୍ ହ୍ୱିଲ୍ସ' ବ୍ୟବସ୍ଥା
କରାଯାଇଛି।
ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା
ବାତ୍ୟାକୁ ଦୃଷ୍ଟିରେ ରଖି ଗୋପାଳପୁର, ପୁରୀ, ସାତପଡ଼ା ଓ ଚିଲିକା
ସମେତ ବିଭିନ୍ନ ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଉପକୂଳ ଅଞ୍ଚଳର
ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସମୁଦ୍ରକୁ ଯାଇଥିବା
ମତ୍ସ୍ୟଜୀବୀମାନେ ଫେରି ଆସିଛନ୍ତି।
ସମ୍ଭାବ୍ୟ ଭୂସ୍ଖଳନ ଓ ଅନ୍ୟ ବିପଦକୁ ଏଡ଼ାଇବା ପାଇଁ କଳିଙ୍ଗା ଘାଟି
ଓ ଗଜଲବାଡ଼ି ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି। ଲୋକଙ୍କୁ ଏହି ରାସ୍ତାରେ ଯାତାୟାତ ନ
କରିବାକୁ ପ୍ରଶାସନ ଅନୁରୋଧ କରିଛି।
ଭାରତୀୟ ତଟରକ୍ଷୀ ବାହିନୀ ସହ ନିୟମିତ ଯୋଗାଯୋଗ ରଖାଯାଇଛି। ଆବଶ୍ୟକ
ପଡ଼ିଲେ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ଓ କ୍ରେନ୍ ବ୍ୟବହାର ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।
ରେଳ ଚଳାଚଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନଜର
ବାତ୍ୟା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ରେଳ
କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ନିୟମିତ ଯୋଗାଯୋଗରେ ରହିଛନ୍ତି। କେତେକ ଟ୍ରେନ୍ର ସମୟସୂଚୀ
ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍ ବାତିଲ କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା
ଥିବାରୁ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ
ରାତ୍ରିକାଳୀନ ପାଟ୍ରୋଲିଂ ସହ ନଦୀବନ୍ଧ ଓ ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।
ଏଥିପାଇଁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ନଦୀବନ୍ଧ ଓ ଜଳଭଣ୍ଡାର ନିକଟରେ
ବରିଷ୍ଠ ଯନ୍ତ୍ରୀମାନଙ୍କୁ ମୁତୟନ କରାଯାଇଛି।
ପ୍ରଭାବିତ ଜିଲ୍ଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିୟୋଜିତ
ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ଆଇଏମ୍ଡି ପକ୍ଷରୁ ରେଡ୍ ଓ ଅରେଞ୍ଜ
ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ବିପର୍ଯ୍ୟୟ ପରିଚାଳନାରେ
ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହି ଜିଲ୍ଲାଗୁଡ଼ିକର
ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାପାଳମାନେ ପ୍ରସ୍ତୁତି ଓ ମୁକାବିଲା
କାର୍ଯ୍ୟର ତଦାରଖ କରୁଛନ୍ତି। ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ମଧ୍ୟ ନିୟମିତ
ସମୀକ୍ଷା ବୈଠକ ମାଧ୍ୟମରେ ପ୍ରସ୍ତୁତି ଓ ଆବଶ୍ୟକ ପଦକ୍ଷେପର ତଦାରଖ କରାଯାଉଛି। ସ୍ଥାନୀୟ
ଜନସାଧାରଣ ଓ ବିଭିନ୍ନ ସାମାଜିକ ସଂଗଠନର ସହଯୋଗରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ ଅଧିକ
ସୁଦୃଢ଼ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଶୂନ୍ୟ ମୃତ୍ୟୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ସମସ୍ତ
ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା