ବୌଦ୍ଧ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅକବାନ’ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ପ୍ରସ୍ତୁତି ବୈଠକ
cyclone-preparation-meeting-BDH
ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ନେଇ ସଜାଗ ଜିଲ୍ଲା ପ୍ରଶାସନ; ସମସ୍ତ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ l୧


ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ନେଇ ସଜାଗ ଜିଲ୍ଲା ପ୍ରଶାସନ; ସମସ୍ତ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ l


ବୌଦ୍ଧ, ୧୯ ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ‘ଅକବାନ’ ଏବଂ ଏହାର ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାର ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳୀନ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବୈଠକରେ ଜିଲ୍ଲାପାଳ ସମସ୍ତ ବିଭାଗର ପ୍ରସ୍ତୁତି ଓ କାର୍ଯ୍ୟପନ୍ଥା ସମୀକ୍ଷା କରି ଜିଲ୍ଲାରେ ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ହାସଲ କରିବା ଦିଗରେ ସମସ୍ତ ଅଧିକାରୀ ଦାୟିତ୍ୱବାନ ଓ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥିପାଇଁ ଜିଲ୍ଲାର ତିନୋଟି ବ୍ଲକ୍ରେ ତଦାରଖ ଓ ସମନ୍ୱୟ ନିମନ୍ତେ ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନଙ୍କୁ ବୌଦ୍ଧ ବ୍ଲକ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନାଙ୍କୁ ହରଭଙ୍ଗା ବ୍ଲକ୍ ଏବଂ ଉପଜିଲ୍ଲାପାଳ ବିନୟ କୁମାର ଭୋଇଙ୍କୁ କଣ୍ଟାମାଳ ବ୍ଲକ୍ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ପରିପୂର୍ଣା ଦେବୀଙ୍କୁ ବୌଦ୍ଧ ପୌର ପରିଷଦ ଅଞ୍ଚଳ ଦାୟିତ୍ୱ ଦିଆଯାଇଛି l ସମ୍ପୃକ୍ତ ଅଧିକାରୀମାନେ ବିଡିଓ ଓ ତହସିଲଦାରଙ୍କ ସହ ମିଳିତ ଭାବେ ବିପଦସଙ୍କୁଳ ଅଞ୍ଚଳ ପରିଦର୍ଶନ କରି କଚ୍ଚାଘର ଓ ବର୍ଷାରେ ଭାଙ୍ଗିଯିବାର ଆଶଙ୍କା ଥିବା ଘରଗୁଡ଼ିକରେ ରହୁଥିବା ଲୋକଙ୍କୁ ଆଗୁଆ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେଉଛନ୍ତି। ଏଥିସହିତ ଏହି ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ବ୍ୟକ୍ତି, ଅସୁସ୍ଥ ତଥା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଆଗୁଆ ଚିହ୍ନଟ କରିବା ସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ଯଥାସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କ ଆଶ୍ରୟ ପାଇଁ ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହିତ ବିଦ୍ୟାଳୟ ଗୃହଗୁଡ଼ିକୁ ପ୍ରସ୍ତୁତ ରଖାଯାଉଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ବିଦ୍ୟୁତ୍, ଶୌଚାଳୟ ଓ ପାନୀୟ ଜଳ ଆଦି ମୌଳିକ ସୁବିଧାର ଉପଲବ୍ଧତା ଯାଞ୍ଚ କରାଯାଉଛି। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ ରଖିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ୱାଟକୋକୁ ସଜାଗ ରଖାଯାଇଛି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସମସ୍ତ ନଳକୂପକୁ କାର୍ଯ୍ୟକ୍ଷମ ରଖିବା ସହିତ ବ୍ଲିଚିଂ ପାଉଡର, ହାଲୋଜେନ୍ ବଟିକା ଓ ପର୍ଯ୍ୟାପ୍ତ ପରିମାଣର ବୋତଲ ପାନୀୟ ଜଳ ମହଜୁଦ ରଖିବାକୁ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଲର୍ଟ ମୋଡ୍ ରେ ରଖିବା ସହିତ ସାପକାମୁଡ଼ା, ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀ ସମ୍ପଦ ବିଭାଗକୁ ତଳିଆ ଅଞ୍ଚଳରେ ରହୁଥିବା ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ସେହିପରି କୃଷି, ଉଦ୍ୟାନ କୃଷି ବିଭାଗର ବ୍ଲକ୍ ସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇବା ସହିତ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେବେ। ବାତ୍ୟା ପ୍ରଭାବରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ, ବିଡିଓ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମିଳିତ ଭାବେ ବିପଦସଙ୍କୁଳ ଗଛଗୁଡ଼ିକୁ ଚିହ୍ନଟ କରି ଡାଳ କାଟିବା ଓ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ରାସ୍ତାଘାଟ ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଜରୁରୀକାଳୀନ ଭିତ୍ତିରେ ମହଜୁଦ ରଖାଯିବ। ବିଦ୍ୟୁତ୍ ବିଭାଗକୁ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ରଖିବା ଏବଂ ବିଦ୍ୟୁତ୍ ବିଭ୍ରାଟ ହେଲେ ତୁରନ୍ତ ମରାମତି ପାଇଁ ଆବଶ୍ୟକ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଜିଲ୍ଲା ଓ ସମସ୍ତ ବ୍ଲକ୍ ସ୍ତରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାର ସମସ୍ତ ପ୍ରଶାସନିକ, ରାଜସ୍ୱ ଅଧିକାରୀ, ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀ ଭୟଭୀତ ନହୋଇ ସତର୍କ ରହିବା ସହିତ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଡାକବାଜି ଯନ୍ତ୍ରରେ ସଜାଗ କରାଯାଉଛି। ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା, ନଦୀ, ନାଳ ଓ ଜଳମଗ୍ନ ଅଞ୍ଚଳକୁ ଯିବାରୁ ନିବୃତ୍ତ ରହିବା ଏବଂ ଜରୁରୀ ପରିସ୍ଥିତିରେ ନିକଟସ୍ଥ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଜନସାଧାରଣ ଆବଶ୍ୟକ ହେଲେ ଜିଲ୍ଲା ଜରୁରୀକାଳୀନ ଫୋନ୍ ନମ୍ବର ୦୬୮୪୧୨୨୨୦୨୩ ରେ କିମ୍ବା ରାଜ୍ୟ ହେଲ୍ପ ଲାଇନ୍ ୧୦୭୭ ରେ ଯୋଗାଯୋଗ କରିପାରିବେ l ବାତ୍ୟା ‘ଅକବାନ’ର ସଫଳ ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛି।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande