
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତଗର୍ତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ନେଇ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ କୋରେଇ ବିଧାୟକଙ୍କୁ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ଦିଆଯାଇଛି । ଗୋଷ୍ଠୀ କେନ୍ଦ୍ରରେ ଦୀର୍ଘ ଦିନଧରି ଲାଗି ରହିଥିବା ଅବ୍ୟବସ୍ଥା ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇପଡିଛି । ଏହି ଘଟଣାକୁ ନେଇ ଯାଜପୁର ଜିଲା ରସୁଲପୁର ପରିବେଶ ସୁରକ୍ଷା ସଂଗ୍ରାମ ସମିତିର ଆବାହକ କୈଳାସ ଚନ୍ଦ୍ର ମଲିକ,ବିଶ୍ୱଜିତ ଖୁଂଟିଆ, ଶୁଭେନ୍ଦୁ ସାମଲ ଓ ଆଲୋକ କୁମାର ପହି ପ୍ରମୁଖ ଯାଜପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ନଗେନ ମହାପାତ୍ର ଏବଂ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଭେଟି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦାବି ଜଣାଇ ଥିଲେ । ରୋଗୀ ସେବା ଏବଂ ପରିଚାଳନା ରେ ଅବହେଳା କରୁଥିବା ମେଡିକାଲ ଇନଚାର୍ଜ ଡାକ୍ତର ରଶ୍ମିରଂଜନ ପଶାୟତଙ୍କୁ ବଦଳି, କାର୍ଯ୍ୟରେ ଅବହେଳା କରି ୧୫ ବର୍ଷ ଧରି ନିଜ ମନମାନିରେ ରହିଥିବା ସିନିୟର ନର୍ସ ଶକ୍ତିମୟୀ ମିଶ୍ରଙ୍କୁ ତୁରନ୍ତ ବଦଳି କରିବା, ନିରାମୟ କେନ୍ଦ୍ରରେ ବ୍ଲଡ଼ ସୁଗାର, ଆଂଟାସିଡି ମେଡ଼ିସିନ ମିଳୁନଥିବା ଏବଂ ରୋଗୀ ମାନଙ୍କୁ ଫାର୍ମାସିଷ୍ଟଙ୍କ ଦୃର୍ବ୍ୟବହାର ନେଇ ବଦଳି କରିବା,୧୫ ବର୍ଷରୁ ଉର୍ଦ୍ଧ ଧରି ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଅଭାବରୁ ପ୍ରସୂତି ମାନଙ୍କୁ ଯାଜପୁର, ଧର୍ମଶାଳା ଯିବାକୁ ପଡୁଛି ସେଥି ପାଇଁ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ନିଯୁକ୍ତି କରିବା, ଶବାଗାର ଅଭାବରୁ ପ୍ରସୂତୀ ବିଭାଗରେ ଶବ ନ ରଖି ଶବାଗାର ନିର୍ମାଣ କରିବା, ଅଚଳ ଇସିଜି ମେସିନକୁ ରୋଗୀ ସେବାରେ ନିୟୋଜିତ କରି ରୋଗୀ ମାନଙ୍କୁ ଶୋଷଣରୁ ମୁକ୍ତ କରିବା, ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ଏକ୍ସରେ ମେସିନ ଅଭାବରୁ ରୋଗୀଙ୍କୁ ବାହାର କ୍ଲିନିକକୁ ଯିବାକୁ ପଡୁଛି ଏହାର ସ୍ଥାୟୀ ସମାଧାନ, ଦାନ୍ତ ଡାକ୍ତର ନିଯୁକ୍ତି ଥିଲେ ବି ଯନ୍ତ୍ରପାତି ଅଭାବରୁ ରୋଗୀମାନଙ୍କୁ ଅନ୍ୟ ମେଡିକାଲକୁ ଯିବାକୁ ପଡୁଛି ଏହାର ଯଥା ଶୀଘ୍ର ସମାଧାନ,ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭାବରୁ ଶିଶୁ ରୋଗ ବୃଦ୍ଧି ପାଉଛି.ତେଣୁ ଶିଶୁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି,ଦୀର୍ଘ ବର୍ଷ ଧରି ରୋଗୀ କଲ୍ୟାଣ ସମିତି ବୈଠକ ଡକା ନ ଯିବା,ରୋଗୀ କଲ୍ୟାଣ ନିମନ୍ତେ ଆସୁଥିବା ଅନୁଦାନ ଅର୍ଥ ବିନିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି, ରୋଗୀମାନଙ୍କୁ ସରକାରୀ ମେଡ଼ିସିନ ନଦେଇ ଏକ୍ସପାରୀ ମେଡ଼ିସିନକୁ ପୋଡ଼ିଦେବା ଏବଂ ଗଛିତ ମେଡ଼ିସିନର ଅବଧି ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ ଦାବି ଓ ମେଡିକାଲ ଏକ ରୋଗୀସେବା କେନ୍ଦ୍ର ହେଇଥିବାବେଳେ ରାତ୍ରୀ କାଳୀନ ସେବାରେ ମେଡିକାଲ କର୍ମଚାରୀମାନେ ମେଡିକାଲ ପରିସରରେ ମଦ, ମାଂସ, ଓ ଗଞ୍ଜେଇ ଆସରକୁ ବନ୍ଦ କରିବା ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଉପରୋକ୍ତ ଦାବିଗୁଡିକୁ ଗ୍ରହଣ କରି ଖୁବ ଶୀଘ୍ର ନୂତନ କମିଟି ଗଠନ କରାଯାଇ ସମସ୍ୟାର ସମାଧାନ ସହ କର୍ତବ୍ୟରେ ଅବହେଳାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବେ ବୋଲି କୋରାଇ ବିଧାୟକ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ