
ଜୟପୁର, ୧୯ ନଭେମ୍ବର (ହି.ସ.)- ପରବ-୨୦୨୬ ଅବସରରେ ନାଟକ, ସଙ୍ଗୀତ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ୧୪ଟି ବ୍ଲକ୍ ରୁ ୧୪ଟି ଏବଂ ୫ଟି ପୌରାଞ୍ଚଳରୁ ୫ଟି ଦଳ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ହୋଇଛି। ଡିସେମ୍ବର ୬ ତାରିଖରେ ଚିତ୍ରକଳା ପ୍ରତିଯୋଗିତା, ୯ ଓ ୧୦ରେ ଚିତ୍ରକଳା ପ୍ରଦର୍ଶନୀ, ୬ରୁ ୯ ପର୍ଯ୍ୟନ୍ତ ସଙ୍ଗୀତ ଏବଂ ୬ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କାର ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଡିସେମ୍ବର ୧୦ରେ ଏବଂ ପ୍ରଥମ ପୁରସ୍କାର ପରବର ମୁଖ୍ୟ ମଞ୍ଚରେ ପ୍ରଦାନ କରାଯିବ।ବୈଠକରେ କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ପି.ଆର. ଥିଏଟର, ସ୍ୱର ଘୁଙ୍ଗୁର ଏବଂ ଜିଲ୍ଲାର ବିଭିନ୍ନ କଳା ଓ କଳାସଂଘର ସଦସ୍ୟମାନେ ଓ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି