
ପୁରୀ, ୧୯ ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ହାସଲ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଓ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଆସନ୍ନ ପ୍ରସବା ମା’ମାନଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଭର୍ତ୍ତି କରାଯାଇଛି ।
ବାତ୍ୟା ସମୟରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସୁରକ୍ଷା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ଅଟେ । ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା କିମ୍ବା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେମାନଙ୍କୁ ଆଗୁଆ ଚିକିତ୍ସାଳୟକୁ ଅଣାଯାଇଛି । ଭର୍ତ୍ତି ହୋଇଥିବା ସମସ୍ତ ଆସନ୍ନ ପ୍ରସବା ମା’ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ଓ ଉତ୍ତମ ଚିକିତ୍ସା ସେବା ସହ ୨୪ ଘଣ୍ଟିଆ ଡାକ୍ତରୀ ଦଳ ନିୟୋଜିତ କରାଯାଇଛି । ଏହା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପୁଷ୍ଟିକର ଗରମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ପ୍ରତ୍ୟେକ ମା’ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସୁସ୍ଥ ରହିବେ, ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ ସ୍ଥିତିର ତଦାରଖ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ