ବାତ୍ୟା ପ୍ରସ୍ତୁତିର ସମୀକ୍ଷା ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀଙ୍କୁ ଘନିଷ୍ଠ ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ପ୍ରସ୍ତୁତି ଓ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୁରୁବାର ବିପଦସଂକୁଳ ଜିଲ୍ଲାଗୁଡ଼ିକ ପାଇଁ ନିଯୁକ୍ତ ବିଭାଗୀ
ବାତ୍ୟା ପ୍ରସ୍ତୁତିର ସମୀକ୍ଷା ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀଙ୍କୁ ଘନିଷ୍ଠ ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ


ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ)- ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ପ୍ରସ୍ତୁତି ଓ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୁରୁବାର ବିପଦସଂକୁଳ ଜିଲ୍ଲାଗୁଡ଼ିକ ପାଇଁ ନିଯୁକ୍ତ ବିଭାଗୀୟ ନୋଡାଲ୍ ଅଧିକାରୀମାନଙ୍କ ସହ ଏକ ବ୍ୟାପକ ସମୀକ୍ଷା ବୈଠକ କରିଛନ୍ତି।

ଏହି ନୋଡାଲ୍ ଅଧିକାରୀମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ଅଧିକାରୀ, ନଗର ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବମାନେ ସାମିଲ ଅଛନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ, ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା ଏବଂ ଆବଶ୍ୟକ ପଦକ୍ଷେପର ତ୍ୱରିତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ। ବୈଠକରେ ଶ୍ରୀମତୀ ପାଢ଼ୀ ଜିଲ୍ଲାୱାରୀ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ପୌରସଂସ୍ଥାଗୁଡ଼ିକ ନେଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

ସକ୍ରିୟ ଓ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ପାଢ଼ୀ ସମସ୍ତ ନୋଡାଲ୍ ଅଧିକାରୀଙ୍କୁ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଏବଂ ପରବର୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନକରି ଆବଶ୍ୟକ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ କହିଥିଲେ। ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରଖିବା, ସୂଚନା ଆଦାନପ୍ରଦାନକୁ ସୁଗମ କରିବା, ତ୍ୱରିତ ନିଷ୍ପତି ନେବା ଓ ଆବଶ୍ୟକ ସମ୍ବଳ ମୁତୟନ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା, ବିପଦସଂକୁଳ ନାଗରିକ ଭିତିଭୂମି ଓ ହୋର୍ଡିଂଗୁଡ଼ିକୁ ସୁରକ୍ଷିତ କରିବା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ସମେତ ଅନ୍ୟ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକ ସାମଗ୍ରୀ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ସେ କହିଥିଲେ। ସମସ୍ତ ପୌରସଂସ୍ଥାରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା ସମୟରେ ନିରନ୍ତର ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande