
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ବନ୍ୟା ବାତ୍ୟା ପରବର୍ତ୍ତୀ ସ୍ଵାସ୍ଥ୍ୟ ସଚେତନତା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ବନ୍ୟା ଓ ବାତ୍ୟା ପରେ ଦୂଷିତ ପରିବେଶ ପାଇଁ ରୋଗ ସଂକ୍ରମଣ ହେବା ବିପଦ ଥାଏ ଏଣୁ ସତର୍କତା ସକାଶେ ଘର ଚାରିପାଖ ଅଳିଆ, ଜଳ ସଫା କରିବେ। ଫୁଟା ଜଳ ଛାଣି, ଗରମ ଖାଦ୍ୟ ଓ ପାଚିଲା ଫଳ, ପରିବା ସଫା ଜଳରେ ଧୋଇ ବ୍ୟବହାର କରିବେ। ବିଦ୍ୟୁତ ତାର, ଓଦା ବିଦ୍ୟୁତ ସରଞ୍ଜାମକୁ ଛୁଇଁବେ ନାହିଁ। ମଶାରୀ ଟାଣି ଶୋଇବେ। ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବେ। ନିରାଶ୍ରୟ ହୋଇ ସାପ, ବିଛା, ମୂଷା ବୁଲୁଥିବେ ଦେଖି ଆଲୁଅ ଧରି ବାହାରକୁ ବାହାରିବେ। ପିଆଜ, ଲେମ୍ବୁ, ଅଦା, ତୁଲସୀ ପତ୍ର ଅଧିକ ଖାଇବେ। ଜ୍ୱର, ଝାଡ଼ା, ଥଣ୍ଡା, କାଶ ହେଲେ ନିଜେ ଔଷଧ କିଣି ନଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଇବେ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ