
ଭୁବନେଶ୍ୱର, 02 ନଭେମ୍ବର (ହି.ସ.)ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିଜ୍ଞାନ ସଂଗୋଷ୍ଠୀ ୨୦୨୬ରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲ୍ଲା ଝାରମୁଣ୍ଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୌମ୍ୟାଶ୍ରୀ ଥନାପତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୌମ୍ୟାଶ୍ରୀଙ୍କ ଏହି ଅସାଧାରଣ କୃତିତ୍ୱ ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରିଛି। ତାଙ୍କର ସଫଳତା ରାଜ୍ୟର ଅଗଣିତ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବା ସହ ନୂତନ ଉପଲବ୍ଧି ହାସଲ କରିବାକୁ ପ୍ରେରଣା ଯୋଗାଇବ।
ଏଥିସହ ମୁଖ୍ୟମନ୍ତ୍ରୀ ସୌମ୍ୟାଶ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ସେ ଆହୁରି ଉଚ୍ଚତର ସଫଳତା ହାସଲ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ