
ଭୁବନେଶ୍ୱର, 2 ନଭେମ୍ବର (ହି.ସ.) : ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜି ସଂଧ୍ୟାରେ ଏକ ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିବେ। ଏହି ଟିମ ୪ ତାରିଖ ପର୍ଯ୍ୟନ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ।
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଏହି ଟିମ୍ର ନେତୃତ୍ୱ ନେବେ। ସେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଅନ୍ୟ ସଦସ୍ୟମାନେ ମଧ୍ୟ ସେହିଦିନ ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳେ ରାଜଧାନୀରେ ପହଞ୍ଚିବେ। ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟିମ୍ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ।
ଏହି ଟିମ୍ରେ କୃଷି ଓ କୃଷକ କଲ୍ୟାଣ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଇସ୍ରୋର ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ରର ଅଧିକାରୀମାନେ ସଦସ୍ୟ ଭାବେ ରହିଛନ୍ତି।
ଟିମ୍ରେ କୃଷି ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ମାନ୍ ସିଂହ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ଉପନିର୍ଦ୍ଦେଶକ ରାହୁଲ ଚୌରାସିଆ, କେନ୍ଦ୍ରୀୟ ଜଳ ଆୟୋଗର ନିର୍ଦ୍ଦେଶକ ଦିଲୀପ କୁମାର ଜେନା, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ଉପନିର୍ଦ୍ଦେଶକ କରନ ସରିନ୍, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ସୁନୀଲ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଅନୁଶାସନ ସଚିବ ଅଜୟ କୁମାର ସାହୁ ଏବଂ ଇସ୍ରୋର ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ରର ବୈଜ୍ଞାନିକ ସି. ସାଇ କୃଷ୍ଣ ସାମିଲ ଅଛନ୍ତି।
ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ୍ ଓ ଜଳସମ୍ପଦ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏଥିସହ ପ୍ରଭାବିତ ଅଞ୍ଚଳର ସ୍ଥିତି ଏବଂ ସେଠାରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ।
କେନ୍ଦ୍ରୀୟ ଟିମ୍ର ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରହଣି, ପରିବହନ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ