
ଚମ୍ପୁଆ, ୨ ନଭେମ୍ବର (ହି.ସ.)- ବିଦ୍ୟୁତ ବିଭାଗର ଅଧିକାରୀଙ୍କ ନିକଟରେ ଗରିବଙ୍କ ଜୀବନ ସତେ ଯେମିତି ମୂଲ୍ୟହୀନ ହୋଇପଡ଼ିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗ୍ରାମପଞ୍ଚାୟତର ମହିଶାଳ ସାହିକୁ ଲାଗି ରହିଥିବା କାଶିପାଳ ଗ୍ରାମପଞ୍ଚାୟତରୁ ଏଭଳି ଏକ ସାଂଘାତିକ ତଥା ଦାୟିତ୍ୱହୀନତାର ଚିତ୍ର ସାମ୍ନାକୁ ଆସିଛି। ଏଠାକାର ବାସିନ୍ଦା ଅନାମ ନାଏକଙ୍କ ଘର ସମ୍ମୁଖରେ ଏକ ବଡ଼ଧରଣର ବିପଦ ଘେରି ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଯନ୍ତ୍ରୀମାନେ ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ବାତ୍ୟା ସମୟରେ ଅନାମ ନାଏକଙ୍କ ଘର ସମ୍ମୁଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିଲା। ତେବେ ଭାଙ୍ଗିଯାଇଥିବା ଖୁଣ୍ଟକୁ ସଜାଡ଼ିବା କିମ୍ବା ନୂତନ ଖୁଣ୍ଟ ପୋତିବା ବଦଳରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଅତ୍ୟନ୍ତ ବେପରୁଆ ଭାବେ ବିଦ୍ୟୁତ ତାରଗୁଡ଼ିକୁ ଆଣି ସିଧାସଳଖ ଅନାମଙ୍କ ପକ୍କା ଛାତ ଉପରେ ବାନ୍ଧି ଦେଇ ଚାଲିଯାଇଛନ୍ତି। ବର୍ତ୍ତମାନ ଏହି ଘରର ଛାତ ଉପରେ ବିପଜ୍ଜନକ ଭାବେ ସମ୍ପ୍ରସାରିତ ହୋଇଥିବା ହାଇଭୋଲ୍ଟେଜ୍ ବିଦ୍ୟୁତ ତାର ଝୁଲୁଥିବାରୁ ପରିବାରର ସମସ୍ତ ସଦସ୍ୟ ଓ ଛୋଟଛୁଆଙ୍କ ପ୍ରତି ପ୍ରତିମୁହୂର୍ତ୍ତରେ ବିପଦ ସୃଷ୍ଟି ହୋଇଛି। ପରିବାର ଲୋକେ ସର୍ବଦା ମୃତ୍ୟୁ ଭୟ ଭିତରେ ଦିନ କାଟୁଛନ୍ତି। ଘରର ଛାତକୁ ଯିବା କିମ୍ବା ସେଠାରେ ଦୈନନ୍ଦିନ ଘରୋଇ କାମ କରିବା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି।
ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଅନାମ ନାଏକ ବାରମ୍ବାର ଚମ୍ପୁଆ ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ବିଭାଗୀୟ କର୍ମଚାରୀ ଓ ଯନ୍ତ୍ରୀମାନେ କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି, କିନ୍ତୁ ବାସ୍ତବକ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବିଭାଗର ଏଭଳି ସାଂଘାତିକ ଅବହେଳା ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ଧରଣର ଧନଜୀବନ ହାନି ଘଟାଇପାରେ। ଯଦି ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିବାରର କୌଣସି ସଦସ୍ୟ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ଏଥିପାଇଁ ଦାୟୀ ହେବ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ? ବିପଦ ଘନେଇବା ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଟାଟା ପାୱାରର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta