ରାତିରେ ଝାରସୁଗୁଡ଼ା ସହରର ରାସ୍ତା ସୁରକ୍ଷା ନେଇ ଚିନ୍ତା ଷ୍ଟ୍ରିଟ୍ ଲାଇଟ୍, ଟ୍ରାଫିକ୍ ନିୟନ୍ତ୍ରଣ ଓ ରାସ୍ତା ମରାମତି ଦାବି
Demand-road-repair-street-ligh
ରାତିରେ ଝାରସୁଗୁଡ଼ା ସହରର ରାସ୍ତା ସୁରକ୍ଷା ନେଇ ଚିନ୍ତା ଷ୍ଟ୍ରିଟ୍ ଲାଇଟ୍, ଟ୍ରାଫିକ୍ ନିୟନ୍ତ୍ରଣ ଓ ରାସ୍ତା ମରାମତି ଦାବି


ଝାରସୁଗୁଡ଼ା, ୨ ନଭେମ୍ବର (ହି.ସ.)-

ସହରରେ ରାସ୍ତା ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ନେଇ ବଢ଼ୁଥିବା ସମସ୍ୟା ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ ଅଭାବ, ଖରାପ ରାସ୍ତା, ବେଆଇନ ପାର୍କିଂ ଓ ଟ୍ରାଫିକ୍ ଅବ୍ୟବସ୍ଥା ଯୋଗୁଁ ରାତିରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ରାତ୍ରିକାଳୀନ ସ୍ଥିତି ଅନୁଧ୍ୟାନ କରିବାକୁ ସମାଜସେବୀ ଗ୍ୟାନେନ୍ଦ୍ର ବେହେରା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସହରର କେତେକ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି। କିଶାନ ଛକରୁ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ ନଥିବାରୁ ରାତିରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ନବନିର୍ମିତ ଫ୍ଲାଏଓଭରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ନଥିବା ସହ ଏହାର ନିକଟବର୍ତ୍ତୀ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ତୁରନ୍ତ ଆଲୋକୀକରଣ ଓ ରାସ୍ତା ମରାମତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ପ୍ରସନ୍ନ ପଣ୍ଡା ଛକରୁ ସଦର ଥାନା ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ଆଲୋକର ଅଭାବ ରହିଛି। ଏହି ରାସ୍ତାରେ ପୂର୍ବରୁ ଘଟିଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆଲୋକ ବ୍ୟବସ୍ଥାକୁ ତୁରନ୍ତ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କିଶାନ ଛକ ଏକ ପ୍ରମୁଖ ବାଣିଜ୍ୟିକ ଓ ପରିବହନ କେନ୍ଦ୍ର ହୋଇଥିବାରୁ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୂରଗାମୀ ବସ୍ ଚଳାଚଳ କରୁଛି। ତେଣୁ ଏହି ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀ ନିୟୋଜନ, ବେଆଇନ ପାର୍କିଂ ଉପରେ ରୋକ୍ ଓ ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି। ଏଥିସହ ଛକରେ ଥିବା ବିଦେଶୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର, ରାସ୍ତାକଡ଼ରେ ଉପଯୁକ୍ତ ସ୍ଥାନରେ ବୃକ୍ଷରୋପଣ ଓ ଯାତାୟାତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଦାବି ହୋଇଛି।

ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, କେବଳ ଦିନବେଳା ଯାଞ୍ଚ କଲେ ରାତିରେ ପଥଚାରୀ, ଯାତ୍ରୀ ଓ ଯାନବାହନ ଚାଳକମାନେ ସାମ୍ନା କରୁଥିବା ପ୍ରକୃତ ସମସ୍ୟା ଜଣାପଡ଼ିବ ନାହିଁ। ତେଣୁ ଜିଲ୍ଲାପାଳ ରାତି ପ୍ରାୟ ୧୧ଟା ସମୟରେ ଏହି ସ୍ଥାନଗୁଡ଼ିକ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହାସହ ପୌରପାଳିକା, ଟ୍ରାଫିକ୍ ପୁଲିସ, ବିଦ୍ୟୁତ୍ ବିଭାଗ ଓ ରାସ୍ତା ନିର୍ମାଣ ବିଭାଗର ମିଳିତ ରାତ୍ରିକାଳୀନ ଯାଞ୍ଚ କରାଗଲେ ସମସ୍ୟାର ପ୍ରକୃତ କାରଣ ଚିହ୍ନଟ ହେବା ସହ ସମ୍ପୃକ୍ତ ବିଭାଗର ଦାୟିତ୍ୱ ନିର୍ଦ୍ଧାରଣ ଓ ତ୍ୱରିତ ସମାଧାନ ସମ୍ଭବ ହୋଇପାରିବ ବୋଲି ସେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande