
ଜୟପୁର, ୨ ନଭେମ୍ବର (ହି.ସ.)- କୋରାପୁଟ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବା ବେଳେ ଏଠାରେ ମଧ୍ୟବତ୍ତି ପରିବାର ଅଧିକ ରହୁଛନ୍ତି । କୋରାପୁଟ ଜିଲାରେ ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଆଜି କୋରାପୁଟ ଜିଲାର ମଧ୍ୟବିତ୍ତ ପରିବାରକୁ ନିମ୍ନଗାମୀ କରି ସାରିଲାଣି । ଟିଫିନ ଦର ଠାରୁ ଆରମ୍ଭ କରି ପନିପରିବା, ସଉଦା ସବୁ ଦର ବଢି ଥିବାରୁ ନୟାନ୍ତ ହୋଇଛନ୍ତି ମଧ୍ୟବିତ୍ତ ପରିବାର । ବଜାରକୁ ଗଲେ ମୁଣ୍ଡରେ ହାତ । ଯାହା ଧରିବ ତାହା ନିଆଁ । ଏହି ଦରବୃଦ୍ଧି କେବଳ ବିଳାସ ସାମଗ୍ରୀରେ ନୁହେଁ, ଦୈନନ୍ଦିନ ଜୀବନର ମୂଳ ଆବଶ୍ୟକତାରେ ଲାଗିଛି । କୋରାପୁଟ ଜିଲାର ଲମତାପୁଟ, କୋରାପୁଟ, ଜୟପୁର, ନନ୍ଦପୁର, ବୋରିଗୁମ୍ମା, କୋଟପାଡ, ସେମିଳିଗୁଡା, ସୁନାବେଢାରେ ମଧ୍ୟ ପନିପରିବା ଦର ଆକାଶ ଛୁଆଁ ହୋଇଛି । ରନ୍ଧନ ଗ୍ୟାସ୍ ୧ ହଜାର ଟଙ୍କା ଟପିଲାଣି । ଜଣେ ଦିନ ମଜୁରିଆ ବା ମଧ୍ୟବିତ୍ତ କର୍ମଚାରୀ ଘରକୁ ପନିପରିବା ବ୍ୟାଗ୍ ଧରି ଫେରିବା ବେଳକୁ ପକେଟ୍ ଖାଲି । କେବଳ ଖାଇବା ନୁହେଁ । ସ୍କୁଲ ଛାତ୍ରଛାତ୍ରୀଙ୍କ ଖାତା, କଲମ, ବହି, ଅଫିସ୍ ଷ୍ଟେସନାରୀର ଦର ମଧ୍ୟ ଦୁଇଗୁଣ ହେଲାଣି । ବିବାହ, ବ୍ରତ, ପୂଜା ଭଳି ସାମାଜିକ କାର୍ଯ୍ୟ ଆଜି ମଧ୍ୟବିତ୍ତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗୋଟିଏ ଛୋଟ ପୂଜା କରିବାକୁ
ଗଲେ ବି ୫ ହଜାର ଟଙ୍କା କୁଆଡେ ଖର୍ଚ୍ଚ ହେଉଛି ଜଣାପଡୁନି ।
ବାସ୍ତବତା ହେଲା, ଜଣେ ବା ଦୁଇ ଜଣ ପୁରୁଷ ଏକାକୀ ୮/୧୦ ଜଣିଆ ପରିବାରର ଭରଣ ପୋଷଣ କରିବା ଆଜି ଅସମ୍ଭବ ହୋଇ ପଡ଼ିଛି । ଦରମା ବଢୁଛି ୫ ପ୍ରତିଶତ, ଦରଦାମ ବଢୁଛି ୫୦ ପ୍ରତିଶତ । ଅସନ୍ତୁଳନ ମଧ୍ୟବିତ୍ତଙ୍କୁ ଧୀରେ ଧୀରେ ତଳକୁ ତଳକୁ ନେଇ ଯାଉଛି । ସରକାରୀ ସାହାଯ୍ୟ ମାଗି, ନ ପାରୁଛି ପେଟ ଭରି ଖାଇ । ସରକାର ଏବଂ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ନିୟନ୍ତ୍ରଣ, କଳାବଜାରୀ ରୋକିବା ଏବଂ ମଧ୍ୟବିତ୍ତ ପରିବାରର ରୋଜଗାର ବୃଦ୍ଧି ପାଇଁ ସ୍ୱତନ୍ତ୍ର ଯୋଜନା ଆଜିର ସମୟର ଦାବି । ନହେଲେ ଯେଉଁ ମଧ୍ୟବିତ୍ତ ସମାଜର ମେରୁଦଣ୍ଡ, ସେ ମେରୁଦଣ୍ଡ ଭାଙ୍ଗିଯିବ । ଦେଶର ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ମଧ୍ୟବିତ୍ତ ପରିବାର ଆଜି ସବୁଠାରୁ ଅଧିକ ଚାପରେ । ମାସ ଶେଷ ହେବା ଆଗରୁ ଦରମା ସରିଯାଉଛି, କିନ୍ତୁ ଖର୍ଚ୍ଚର ଲିଷ୍ଟ ସରୁନାହିଁ । ଆୟ ଯେଉଁଠି ଅଛି ସେଇଠି ଅଟକି ରହିଛି, ହେଲେ ବ୍ୟୟ ଆକାଶ ଛୁଉଁଛି । ଏହାହିଁ ବର୍ତ୍ତମାନ ପ୍ରତି ମଧ୍ୟବିତ୍ତ ଘରର ସାଧାରଣ କାହାଣୀ । ମଧ୍ୟବିତ୍ତ ପରିବାରରେ ରୋଷେଇ ଘରୁ ଆରମ୍ଭ ମହଙ୍ଗା ଯନ୍ତ୍ରଣା । ଗତ ଏକ ବର୍ଷ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଯେଭଳି ବଢିଛି, ତାହା ସାଧାରଣ ଲୋକଙ୍କ ବଜେଟକୁ ଦୋହଲାଇ ଦେଇଛି । ଖାଇବା ତେଲ ୧୦୦ ରୁ ୧୭୦, ଡାଲି କିଲୋ ୯୦ ରୁ ୧୩୦, ପନିପରିବା ଦର ଦୁଇ ଗୁଣା । ଏଲପିଜି ସିଲିଣ୍ଡର ୮୫୦ରୁ ୯୫୦ ଟପିଲାଣି । ପିଲାଙ୍କ ସ୍କୁଲ ଫି, ଟ୍ୟୁସନ ଫି, ଔଷଧ ଖର୍ଚ୍ଚ ଓ ଘର ଭଡା ସବୁ ମିଶାଇ ଜଣେ ମଧ୍ୟବିତ୍ତ ବ୍ୟକ୍ତିର ମାସିକ ଖର୍ଚ୍ଚ ୨୦ ରୁ ୩୦ ପ୍ରତିଶତ ବଢିଯାଇଛି, କିନ୍ତୁ ଆୟ ବୃଦ୍ଧି ୫ ରୁ ୮ ପ୍ରତିଶତରେ ଅଟକି ରହିଛି । ସ୍ଥିର ଆୟ, ଅସ୍ଥିର ବଜାର : ଘରୋଇ କମ୍ପାନୀରେ ଚାକିରି କରୁଥିବା ଯୁବକ, ସରକାରୀ କର୍ମଚାରୀ କିମ୍ବା ଛୋଟ ବ୍ୟବସାୟୀ - ସମସ୍ତଙ୍କ ଆୟ ପ୍ରାୟ ସ୍ଥିର । କିନ୍ତୁ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ଉପରେ ରହିଛି ।
ଶିକ୍ଷା ଓ ସ୍ୱାସ୍ଥ୍ୟର ବୋଝ :
ଭଲ ଶିକ୍ଷା ଓ ଭଲ ଚିକିତ୍ସା ପାଇଁ ମଧ୍ୟବିତ୍ତ ବାଧ୍ୟ ହୋଇ ଘରୋଇ ସଂସ୍ଥା ଉପରେ ନିର୍ଭର କରୁଛି, ଯାହାର ଖର୍ଚ୍ଚ ସବୁଠାରୁ ଅଧିକ । ଘର, ଗାଡି, ମୋବାଇଲ୍, ପିଲାଙ୍କ ପାଠ ପଢା - ସବୁଥିରେ ଋଣ । ଦରମାର ୪୦ ପ୍ରତିଶତରୁ ଅଧିକରେ ଚାଲିଯାଉଛି । ପୂର୍ବରୁ ମଧ୍ୟବିତ୍ତ ପରିବାର ମାସକୁ ୧୦-୧୫ ପ୍ରତିଶତ ସଞ୍ଚୟ କରୁଥିଲେ, ଏବେ ସଞ୍ଚୟ ତ ଦୂରର କଥା, ସଞ୍ଚିତ ଅର୍ଥ ଭାଙ୍ଗି ଘର ଚଳାଇବାକୁ ପଡୁଛି । ଏହି ମହଙ୍ଗା ମାଡ଼ କେବଳ ପକେଟ୍ ଉପରେ ନୁହେଁ, ମାନସିକ ଶାନ୍ତି ଉପରେ ମଧ୍ୟ ପଡିଛି । ପିଲାଙ୍କ ଆବଶ୍ୟକତା ପୂରଣ କରିବା, ବୃଦ୍ଧ ବାପା-ମାଙ୍କ ଔଷଧ ଖର୍ଚ୍ଚ ଉଠାଇବା ଏବେ ଚିନ୍ତାର ବିଷୟ ପାଲଟିଛି । ପ୍ରତି ପରିବାର ନିଜ ବଜେଟ୍ ର ସଠିକ୍ ହିସାବ ରଖିବା, ଅଯଥା ଖର୍ଚ୍ଚ କମାଇବା ଏବଂ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବା ଆବଶ୍ୟକ । ମଧ୍ୟବିତ୍ତ ହସିଲେ ସମାଜ ହସିବ । ତେଣୁ ଏ ବର୍ଗକୁ ଅଣଦେଖା କଲେ ଚଳିବ ନାହିଁ । ଆୟ ଓ ବ୍ୟୟ ଭିତରେ ସନ୍ତୁଳନ ଆସିଲେ ହିଁ ମଧ୍ୟବିତ୍ତ ପରିବାର ପୁଣି ଥରେ ଖୋଲା ନିଶ୍ୱାସ ନେଇପାରିବ । ଏହା ସହ ଜୟପୁର ସହରରେ ଟିଫିନ ଦର ବି କମ୍ ନୁହଁ ୨୦ ଟଙ୍କାରେ ୩ଟି ଇଡିଲି, ପୁରୀ, ଦୋଷା ୨୫, ବରା ୧୦, ଆଳୁଚପ ୧୦ ଟଙ୍କାରେ ବିକ୍ରୟ ହେଉଛି । ରାସ୍ତା କଡରେ ଚଢା ଦରରେ ବିକ୍ରି ହେଉଥିଲେ ବି ପ୍ରଶାସନ ନିରବ ରହି ଦେଖୁଥିବା ଲକ୍ଷ୍ୟ କରାଯାଇଛି । ଫୁଲକୋବି କିଲୋ ୧୦୦ ଟଙ୍କା, ଟମାଟ ୫୦ ଟଙ୍କା ଦର ପନିପରିବାର ଦର ମଧ୍ୟ ଆକାଶ ଛୁଆଁ । ତେଣୁ ପ୍ରଶାସନ ଚଢଉ କରି ଦରଦାମ ନିୟନ୍ତ୍ରଣ କରିବାକୁ ସଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି