
ଚେନ୍ନାଇ, ୨ ନଭେମ୍ବର (ହି.ସ.)। ବଙ୍ଗୋପସାଗରରେ ବାତ୍ୟା ‘ମୁରସୁ’ ସୃଷ୍ଟି ହେବା ପରେ ତାମିଲନାଡୁର ଚେନ୍ନାଇ ଓ ତିରୁଭଲ୍ଲୁର ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ, ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଏବଂ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଚଳିତ ଉତ୍ତର-ପୂର୍ବ ମୌସୁମୀ ଋତୁରେ ଏହା ଦ୍ୱିତୀୟ ବାତ୍ୟା। ଏହାର ନାମ ‘ମୁରସୁ’ ରଖାଯାଇଛି। ବର୍ତ୍ତମାନ ବାତ୍ୟାଟି ଚେନ୍ନାଇଠାରୁ ପ୍ରାୟ ୫୬୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ପ୍ରାୟ ୬୬୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି।
ତାମିଲନାଡୁ ବିପର୍ଯ୍ୟୟ ବିପଦ ହ୍ରାସ ଏଜେନ୍ସି (ଟିଏନ୍ଡିଆର୍ଆର୍ଏ)ର ରାଜସ୍ୱ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା କମିଶନର ଚନ୍ଦ୍ର ମୋହନ କହିଛନ୍ତି ଯେ ବାତ୍ୟାର ଗତିବିଧି ଉପରେ ନିରନ୍ତର ନଜର ରଖାଯାଇଛି। ବର୍ତ୍ତମାନ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। ଆଗାମୀ କିଛି ଦିନ ଧରି ଉତ୍ତର ତାମିଲନାଡୁରେ ପ୍ରବଳ ବର୍ଷା, ଜୋର୍ରେ ପବନ ବହିବା ସହ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ସମୁଦ୍ରକୂଳ ଓ ଉପକୂଳ ରାସ୍ତାଠାରୁ ଦୂରେଇ ରହିବାକୁ ଅପିଲ୍ କରାଯାଇଛି। ଜଳବନ୍ଦୀ ଅଞ୍ଚଳ ଏବଂ ଅଣ୍ଡରପାସ୍ ଦେଇ ଯାତାୟାତ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଘରେ ପିଇବା ପାଣି, ଅତ୍ୟାବଶ୍ୟକ ଔଷଧ, ଟର୍ଚ୍ଚ, ପାୱାର ବ୍ୟାଙ୍କ ଏବଂ ଚାର୍ଜ ହୋଇଥିବା ମୋବାଇଲ୍ ଫୋନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ସେହିପରି ଘରର ଛାତ ଓ ବାଲକୋନିରେ ରଖାଯାଇଥିବା ଢିଲା ଜିନିଷଗୁଡ଼ିକୁ ସୁରକ୍ଷିତ ରଖିବା ସହ ଡ୍ରେନ୍ ଓ ନାଳଗୁଡ଼ିକର ସଫେଇ ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ ସମ୍ପର୍କିତ ସୂଚନା ପାଇଁ କେବଳ ଆଇଏମ୍ଡି, ଟିଏନ୍ଡିଆର୍ଆର୍ଏ ଏବଂ ଜିଲ୍ଲା ପ୍ରଶାସନର ଅଧିକାରିକ ସୂଚନା ଉପରେ ଭରସା କରିବାକୁ ପ୍ରଶାସନ ସ୍ପଷ୍ଟ କରିଛି। ଜରୁରୀ ପରିସ୍ଥିତି ପାଇଁ ରାଜ୍ୟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୦୭୦ ଏବଂ ଜିଲ୍ଲା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୦୭୭ ଜାରି କରାଯାଇଛି। ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅପିଲ୍ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ