
ପୁରୀ, ୨ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସ୍କୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ଶନିବାର ରାତ୍ରରେ ଡ୍ରାମାଟିକ କ୍ଲବର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଏହି ଅବସରରେ ଆଚାର୍ଯ୍ଯ ଯୁବ ପରିଷଦ ଦ୍ବାରା ଆୟୋଜିତ ହସକାନ୍ଦଭରା ଭିନ୍ନ ସ୍ବାଦର ସାମାଜିକ ନାଟକ ବିଧାତା ଲେଖିଛି ନୂଆ କାହାଣୀ ମଞ୍ଚସ୍ଥ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ସତ୍ଯବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉତ୍ସବର ଶୁଭାରମ୍ଭ କରିଥିଲେ । ନାଟକରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ଭୂୟଂଶୀ ପ୍ରଶଂସା କରିବା ସହ ଗାଁର ଉନ୍ନତି କାର୍ଯ୍ଯ କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ବିଦ୍ବତ୍ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ସାକ୍ଷୀଗୋପାଳ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସମାଜସେବୀ ଭୀମସେନ ପାଇକରାୟ, ଭଲିବଲ ପ୍ରଶିକ୍ଷକ ପ୍ରଭାକର ତ୍ରିପାଠୀ, ପ୍ରମୋଦ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ରହି ଗ୍ରାମର ଐତିହ୍ଯ ଓ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ । କ୍ଲବର ସଭାପତି ଅଜିତ ନନ୍ଦ ମଞ୍ଚରେ ସଭାପତିତ୍ବ କରିଥିଲେ । କ୍ଲବ ର ସଦସ୍ୟମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ ।
ପ୍ରାରମ୍ଭରୁ ଦୁର୍ଗାଙ୍କ ଅଷ୍ଟକମ୍ ପାଠ କରାଯାଇଥିଲା । ଗ୍ରାମର ବରିଷ୍ଠବ୍ୟକ୍ତି ରଞ୍ଜନ ମିଶ୍ର କବିତା ଆବୃତ୍ତି କରିଥିଲେ । ନାଟକର ସାରାଂଶ ମଧ୍ୟରେ ବିଧିର ବିଧାନ ଜୀବନ ଅଛି ତ ମୃତ୍ଯୁ ବି ଅଛି । ବଣମଲ୍ଲୀ ବଣରେ ରହି ମଉଳି ଯାଏ କିନ୍ତୁ ତା'ର ବାସ୍ନା ଚାରିଆଡେ ମହକିଥାଏ । ବଡଭାଇ ପରିବାର ପାଇଁ ସଂଘର୍ଷ କରି ଶେଷରେ ସ୍ତ୍ରୀ, ପୁତ୍ର ହରାଇବା ପରେ ଭଉଣୀର ମୃତ୍ୟୁବରଣ କରିବା ଖବର ପାଇ ମର୍ମାହତ ହୋଇ ପଡ଼ିଛନ୍ତି । ଭାଇ ମାନେ ବୁଝିଲା ବେଳକୁ ବିଧାତା ବିଚିତ୍ର ନିୟମରେ ପରିସ୍ଥିତି କୁଆଡେ ନେଇଛି କେହି ବୁଝିପାରି ନାହାନ୍ତି । ବୁଝିଲା ବେଳକୁ ବିଧାତା ଲେଖିଥିବା ଘଟଣା କେହି ଅନ୍ଯଥା କରିପାରିନାହାନ୍ତି । ବିଧାତା ଲେଖିଛି ନୂଆ କାହାଣୀ । ବିତି ଯାଇଥିବା ସମୟର ଅନେକ ମୁହୂର୍ତ୍ତ ସବୁଦିନ ପାଇଁ ସ୍ମୃତି ହୋଇ ରହିଯାଏ । ପରିସ୍ଥିତି ଯାହା ବି ହେଉ ଆମ ଭିତରେ ଦୟା, କରୁଣା ସହନଶୀଳତା ଆଦି ମାନବୀୟ ଗୁଣ ସବୁବେଳେ ରହିଥାଉ । ଘଟଣା ଯାହା ବି ହେଉ ମାନବିକତା ବଞ୍ଚିରହୁ । ନାଟକ ଜୀବନ୍ତ ହୋଇଥିବା ଦେଖି ଦର୍ଶକ ବିମୋହିତ ହୋଇଥିଲେ । ନାଟକକୁ ଲେଖିଛନ୍ତି ନାଟ୍ୟକାର ଅନନ୍ତ ଓଝା । ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ପଟ୍ଟନାୟକ | ନାଟକରେ ଅଂଶଗ୍ରହଣ କରିଥିବା କଳାକାର ମାନେ ହେଲେ ସତ୍ୟପ୍ରକାଶ ଦାଶ (ପିଣ୍ଟା), ଜଗନ୍ନାଥ ମିଶ୍ର(ଡଲୁ), ସୁବ୍ରତ କୁମାର ନନ୍ଦ (ଚିକୁ), ସୁଧାକର ତ୍ରିପାଠୀ (କୁନି), ରାମକୃଷ୍ଣ ଦାଶ (ସନ୍ତୁନା), କାଳି ପ୍ରସାଦ ମିଶ୍ର (ବାବି), ଶ୍ରୀପତି ଦାଶ (ସାନୁ), କ୍ଷୀରୋଦ ମିଶ୍ର (ଗୁଡୁ), ବିଶ୍ଵଜିତ୍ ମିଶ୍ର(ଜିତୁ), ଅବିନାଶ ତ୍ରିପାଠୀ (ବାବା), ସତ୍ୟନାରାୟଣ ନନ୍ଦ (ସତ୍ୟ), ଶିଶୁ କଳାକାର- ଅଙ୍କିତ୍ ମିଶ୍ର (ଅଙ୍କିତ୍), ସୋମ୍ୟନାରାୟଣ ମିଶ୍ର (ମୁନୁ) ଓ ମହିଳା ଭୂମିକାର ଅଙ୍କିତା ଦେ, ବନ୍ଦନା ଦାଶ , ପୁର୍ଣିମା ରାଉତ, ଅମ୍ବିକା ପାତ୍ର, କାଜଲ ପ୍ରିୟଦର୍ଶିନୀ ଜେନା ପ୍ରମୁଖ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ ଦେଖି ଦର୍ଶକଙ୍କ ଆଖିରେ ଲୁହ ଆସିଯାଇଥିଲା । ନୃତ୍ଯ ନିର୍ଦ୍ଦେଶନା ଟିକନ ଡ୍ଯାନ୍ସ ଗ୍ରୁପ ପରିଚାଳନା କରିଥିବା ବେଳେ ସଙ୍ଗୀତ ବିନୟ ଦାଶ ଓ ସାଥୀଙ୍କ ନିର୍ଦ୍ଦେଶନାରେ ନୃତ୍ଯ ସଙ୍ଗୀତରେ ମସଗୁଲ ହୋଇଥିଲେ ଦର୍ଶକ । ନାଟ୍ୟକାର ତଥା ନିର୍ଦ୍ଦେଶକ ନଟବର ଆଚାର୍ଯ୍ଯଙ୍କ ଉପସ୍ଥାପନ ଶୈଳୀ ବେଶ ଉଚ୍ଚକୋଟୀର ହୋଇଥିଲା । କୁଳିଆପଡା ମହାବୀର ଚିତ୍ରାଳୟର ରୂପସଜ୍ଜା, ପୋଷାକ, ଶଦ୍ଦ ମଞ୍ଚ ସାଜସଜ୍ଜା ସହ ରଙ୍ଗୀନ ଆଲୋକର ଝଲମଲରେ ଝଲସିତ ଦେଖି ଆକର୍ଷିତ ହୋଇଥିଲେ ନାଟକ ପ୍ରେମୀ । ସମ୍ବିତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଆଚାର୍ଯ୍ୟ ଯୁବ ପରିଷଦର ସମ୍ପାଦକ ସୁବ୍ରତ କୁମାର ନନ୍ଦ, ଡ୍ରାମାଟିକ କ୍ଲବର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ, ଉପସଭାପତି ପ୍ରଶାନ୍ତ କୁମାର ନନ୍ଦ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ ଓ ଆଶୁତୋଷ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀରାମ ନନ୍ଦ, ଅଖିଳ ନିଖିଳ ରଞ୍ଜନ ମିଶ୍ର, ସୁମିତ୍ ମିଶ୍ର, ସମ୍ବିତ ମହାପାତ୍ର, ସୌରଭ କୁମାର ନନ୍ଦ, ଦିବ୍ଯରଞ୍ଜନ ଦାଶ, ଜ୍ଯୋତି ପ୍ରକାଶ ମିଶ୍ର, ଶୁଭାଷିସ ମିଶ୍ର, ମାନସ ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚରେ ସହଯୋଗ କରିଥିଲେ । ଅତିଥିମାନଙ୍କ ଦ୍ବାରା ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବିନୟ ଦାଶ, ସହ ନିର୍ଦ୍ଦେଶକ ବିଭୁପ୍ରସାଦ ଦାଶ, କୋରିଓଗ୍ରାଫର ମାଇକେଲ ଟିକନ, ମିଡିଆ ସଂଯୋଜକ ସାମ୍ବାଦିକ ସୁଧାଂଶୁ ଶେଖର କରଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ କଳାକାରଙ୍କ ଓଡିଶୀନୃତ୍ଯ, ସମ୍ବଲପୁରୀ ନୃତ୍ଯ ଓ ଆଧୁନିକ ନୃତ୍ଯରେ ଝୁମିଥିଲେ ଦର୍ଶକ । ଆଚାର୍ଯ୍ଯ ଯୁବ ପରିଷଦର ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ । କଳାକାରଙ୍କ ଡାଇଲଗରେ ପ୍ରକମ୍ପିତ ହୋଇଥିଲା ମଞ୍ଚ ପରିସର । କଳାକାରଙ୍କ ଅଭିନୟ ଦେଖି କରତାଳି ମାରୁଥିଲେ ଦର୍ଶକ । ସାକ୍ଷୀଗୋପାଳ ସମେତ ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ନାଟକକୁ ସକାଳ ପର୍ଯ୍ୟନ୍ତ ମନୋଭରି ଉପଭୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ