
ଗଂଜାମ, 22 ନଭେମ୍ବର (ହି.ସ.)ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଅଭୂତପୂର୍ବ କ୍ଷତି ଘଟିଛି, ପ୍ରଳୟଙ୍କରୀ ବନ୍ୟାରେ ଜନ ସାଧାରଣ ବାସ୍ତୁହରା ହୋଇ ପଡିଛନ୍ତି ସେମାନଙ୍କୁ ଯଥାଶୀଘ୍ର ସହାୟତା ପ୍ରଦାନ କରି ଥଇଥାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ଆଲୋଚନା ସଭାରେ ଦାବି କରାଯାଇଛି। ବିଶେଷ କରି ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଙ୍କୁ ଏପରିକି ରାଜନୈତିକ ବାଛବିଚାର ନକରି ସରକାର ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ବୋଲି ଆଲୋଚନା କରାଯାଇଛି।
ଅନୁଷ୍ଠାନ ର ସଭାପତି ଶ୍ରୀ ରାଧା ଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ଡ଼ ପ୍ରାଣ ଚାନ୍ଦ ପଣ୍ଡା,ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ବନ୍ୟା ପ୍ରଭାବିତ ମୃତାହତ ଙ୍କ ପାଇଁ ସମବେଦନା ପ୍ରକାଶ କରି ନିରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ସରକାର ପ୍ରତି ପରିବାର କୁ ଟ.୨୫୦୦/- ଅର୍ଥ ରାଶି ଓ ୫୦ କ.ଜି ଚାଉଳ ପ୍ରଭାବିତ ଜିଲ୍ଲା ର ସମସ୍ତ ଜନ ସାଧାରଣ ଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିବାରୁ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ଏବଂ ସହାୟତା ପ୍ରଦାନ ସମୟରେ ଲୋକମାନେ ବ୍ୟସ୍ତ ବିବ୍ରତ ନହୋଇ ପ୍ରଦାନକାରୀ ଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।
ସଦସ୍ୟ ରବିନ୍ଦ୍ର କୁମାର ନାୟକଙ୍କ ଦ୍ଵାରା ଉପସ୍ଥାପିତ ଅନ୍ୟଏକ ପ୍ରସଙ୍ଗ କ୍ରମରେ କୁଟିଆ ସମ୍ପର୍କରେ ଆଲୋଚନା କରାଯାଇଥିଲା ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା ୧୯୩୬ ପୂର୍ବରୁ ଏବଂ ସ୍ବାଧୀନତା ପରେ ମଧ୍ୟ କୁଟିଆ, କୋରାପୁଟ ଜିଲ୍ଲାର ପୋଷ୍ଟାଲ ଡିଭିଜନ ଅନ୍ତର୍ଗତ ରହି ଆସିଛି ଏବଂ ଆନ୍ଧ୍ରପ୍ରଦେଶ ସରକାର ସୁପ୍ରିମକୋର୍ଟ ଙ୍କ ଆଦେଶ ଅବମାନନା କରି ଏଠାରେ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସମାଲୋଚନା କରିଥିଲେ , ସଭାପତି ଶ୍ରୀ ନାୟକ କୁଟିଆ ସମ୍ପର୍କିତ ନିଜର ପ୍ରକାଶିତ ପ୍ରବନ୍ଧ କୁଟିଆ ଓଡ଼ିଶାକୁ ଜଟିଆ ରେ ବିଭିନ୍ନ ତଥ୍ୟ ଲିପିବଦ୍ଧ କରି ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ କୁ ତୀବ୍ର ସମାଲୋଚନା କରିଥିଲେ।ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ କୁଟିଆ ଓଡ଼ିଶାର ବୋଲି ସ୍ଥାନୀୟ ଜନସାଧାରଣ, ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ସମସ୍ତ ରାଜନୈତିକ ଦଳ ନେତୃବର୍ଗ ଏବଂ ଉତ୍କଳ ସମ୍ମିଳନୀ ତରଫରୁ ଏହାର ଦୃଢ ପ୍ରତିବାଦ କରାଯାଉଥିବା ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ।ଏହି ଆଲୋଚନା ସଭା ରେ ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ,ସମ୍ପାଦକ ରଜନୀ କାନ୍ତ ମଣ୍ଡଳ, କୋଷାଧ୍ୟକ୍ଷ ଲଡୁ କେଶ ମିଶ୍ର, ଯୁଗ୍ମ ସମ୍ପାଦକ କେ କିରଣ କୁମାର ଦୋରା, ବରିଷ୍ଠ ସଦସ୍ୟ ହାଡ଼ିବନ୍ଧୁ ମାଳି, ରବିନ୍ଦ୍ର କୁମାର ନାୟକ, ଶ୍ୟାମାପ୍ରସାଦ ପାଢୀ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଏବଂ ନିରଞ୍ଜନ ମହାପାତ୍ର, ବିଜୟ କୁମାର ସାହୁ, ଏ ଅଶୋକ କୁମାର ପାତ୍ର ପ୍ରମୁଖ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ସମ୍ପାଦକ ଶ୍ରୀ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ