
ଝାରସୁଗୁଡ଼ା, ୨୨ ନଭେମ୍ବର (ହି.ସ.)- ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ସ୍ଥିତ ମନମୋହନ ସ୍କୁଲ ପଡ଼ିଆଠାରେ ‘ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। “ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି, ରାଜ୍ୟର ଚାଷୀଙ୍କ ସମୃଦ୍ଧି” ବାର୍ତ୍ତା ନେଇ ଆୟୋଜିତ ଏହି ମେଳାରେ ସ୍ଥାନୀୟ ପ୍ରାଣୀପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସକାଳ ୯ଟାରେ ଚାଷୀଙ୍କ ପଞ୍ଜୀକରଣ ଓ ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଦୀପ ପ୍ରଜ୍ବଳନ ପୂର୍ବକ ‘ବନ୍ଦେ ମାତରଂ’ ପରିବେଷଣ ସହ ସାଧାରଣ ସଭା ଉଦ୍ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ। ସେ ନିଜ ବକ୍ତବ୍ୟରେ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଝାରସୁଗୁଡ଼ା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏବଂ ବିଭାଗର କ୍ରିୟାଶୀଳତା ଯୋଗୁଁ ହିତାଧିକାରୀମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇପାରିଥିବା ମତ ରଖିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଏବଂ ଚାଷୀଙ୍କୁ ଆର୍ଥିକ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି କହିଥିଲେ। ସରକାରଙ୍କ ସମସ୍ତ ସବ୍ସିଡି ବ୍ୟବସ୍ଥାର ଲାଭ ଉଠାଇବାକୁ ସେ ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମଞ୍ଚାସୀନ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣା, ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟ ଏବଂ ସମ୍ବଲପୁର ଜୋନ୍ ମତ୍ସ୍ୟ ଉପନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାମଲ ମଞ୍ଚାସୀନ ଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ଅରବିନ୍ଦ ବେହେରା ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା ଉପସ୍ଥାପିତ ହୋଇଥିଲା। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୋପାଳନ, ଛେଳି ଓ ମେଣ୍ଢା ପାଳନ, କୁକୁଡ଼ା ଚାଷ ଏବଂ ମାଛଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ମାଧ୍ୟମରେ ଗତ ଦୁଇ ବର୍ଷ ମଧ୍ୟରେ ହଜାର ହଜାର ଗୋପାଳକ ଓ ଲକ୍ଷାଧିକ ମତ୍ସ୍ୟଜୀବୀ ସରକାରୀ ସହାୟତା ପାଇ ଉପକୃତ ହୋଇଥିବା ସେ ଜଣାଇଥିଲେ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ବୈଜ୍ଞାନିକ ପଦ୍ଧତିରେ ଉତ୍ପାଦନ ଏବଂ ବଜାର ସଂଯୋଗ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଏବଂ ପ୍ରଗତିଶୀଳ ମତ୍ସ୍ୟ ଓ ପ୍ରାଣୀପାଳକ ଚାଷୀଙ୍କ ସଫଳ କାହାଣୀ ଭିଡିଓ ପ୍ରଦର୍ଶିତ ହୋଇଥିଲା।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରାଣୀସମ୍ପଦ କ୍ଷେତ୍ରର ୨ ଜଣ ସଫଳ ଚାଷୀଙ୍କୁ ୨,୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ଓ ଉତ୍ତରୀୟ ଏବଂ ମତ୍ସ୍ୟ କ୍ଷେତ୍ରର ୨ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଶ୍ରେଷ୍ଠ ଗୋପାଳକ ଭାବେ ଲୋଇସିଂହ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିବାଗଲ ର କନକଲତା ଚୌଧୁରୀ ଏବଂ ଶ୍ରେଷ୍ଠ ଛେଳିପାଳକ ଭାବେ ରାଜପୁର ଗ୍ରାମପଞ୍ଚାୟତ ଆମଧରର ସଂଗ୍ରାମ ସାଇଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ମତ୍ସ୍ୟ ବିଭାଗ ପକ୍ଷରୁ ‘ମତ୍ସ୍ୟ ପୋଖରୀ ଯୋଜନା-୨’ ପାଇଁ ଗୌରମାଳ ପଞ୍ଚାୟତ ମଧୁପୁରର ନୀଳାମ୍ବର ଭୋଇ ଏବଂ ବାୟୋଫ୍ଲକ୍ ମାଛଚାଷ ପାଇଁ ଦୁର୍ଲଗା ପଞ୍ଚାୟତ ସାଲେଟିକରାର ଦୁଲାମଣି ଭଇଁସାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ, ସବ୍ସିଡି ଓ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ମଇଁଷି ପାଳନ ଯୋଜନାରେ ଝାରସୁଗୁଡ଼ା ପୁରୁଣାବସ୍ତିର ବିନ୍ଦୁ ଦେବୀ ସିଂହ ଓ ରଜନ୍ତି ଦେବୀ ଏବଂ ଛେଳି ପାଳନ ଯୋଜନାରେ ଏଚ୍. କଟାପାଲିର ସୁରେନ୍ଦ୍ର ମହାନନ୍ଦ, ଚିତ୍ରସେନ ମହାନନ୍ଦ ଓ ଚାନ୍ଦିନୀମାଳର ଭରତ ରୋହିଦାସଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ମତ୍ସ୍ୟ ବିଭାଗ ପକ୍ଷରୁ ‘ମତ୍ସ୍ୟ ପୋଖରୀ ଯୋଜନା-୨’ ଅଧୀନରେ ମଧୁପୁରର ନୀଳାମ୍ବର ଭୋଇ, ଏଚ୍. କଟାପାଲିର ସୁକାନ୍ତି ନାଏକ ଓ ସାଲେଟିକରାର ଦୁଲାମଣି ଭଇଁସାଲଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଗୌରମାଳର ପୁଷ୍ପା ଖଡ଼ିଆ ଓ ରାଜପୁର ଦେଓଗାଁର ପ୍ରମିତା ସାଙ୍କୁ ମାଛଧରା ଜାଲ ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା ପ୍ରାଣୀଚିକିତ୍ସାଳୟର ଉପନିର୍ଦ୍ଦେଶକ ଡା. ସୁଧାଂଶୁ ଶେଖର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ସହକାରୀ ମତ୍ସ୍ୟ ଅଧିକାରୀ ଅର୍ପିତା ପ୍ରିୟମଙ୍କ ସମେତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଅପରାହ୍ନରେ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ପ୍ରାଣୀଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ