
ଚମ୍ପୁଆ, 22 ନଭେମ୍ବର (ହି.ସ.) : କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଦଡୁଆଁ ଗ୍ରାମର ଝରଣ ସାହିର କ୍ଷତିଗ୍ରସ୍ତ ଜମିହୀନ ପରିବାରମାନେ ଦୀର୍ଘ ଚାରି ବର୍ଷ ଧରି ଘରଡିହ ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ, ଆଇନଗତ ମାଲିକାନା ସୁନିଶ୍ଚିତ କରିବା ଏବଂ ଉପଯୁକ୍ତ କ୍ଷତିପୂରଣ ଦାବିରେ ବିସ୍ଥାପିତ ପରିବାରବର୍ଗ ସାଂସଦ ଓ ତହସିଲଦାରଙ୍କ ନିକଟରେ ଆଜି ଏକ ଲିଖିତ ଦରଖାସ୍ତ ଦାଖଲ କରିଛନ୍ତି ।
ଦରଖାସ୍ତ ଅନୁଯାୟୀ, ପ୍ରକଳ୍ପ ଯୋଗୁଁ ନିଜର ପୈତୃକ ଭିଟାମାଟି ହରାଇଥିବା ଏହି ପରିବାରଗୁଡ଼ିକ ବର୍ତ୍ତମାନ ଧୁବୁଲାବେଡ଼ାସ୍ଥିତ ବିସ୍ଥାପିତ କଲୋନୀରେ ବସବାସ କରୁଛନ୍ତି । ପୁନର୍ବାସ ଓ ପୁନଃଥଇଥାନ ନୀତି, ୨୦୦୬ ଅନୁଯାୟୀ ସେମାନଙ୍କୁ ୨ ଡେସିମିଲ୍ ଘରଡିହ, ୧ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଥିବା ସେମାନେ ଦର୍ଶାଇଛନ୍ତି । ତେବେ କେତେକ ବିସ୍ଥାପିତ ପରିବାର ପଟ୍ଟା ପାଇଥିବା ବେଳେ ଅନେକ ପରିବାର ଏଯାବତ୍ ନିଜ ଘରଡିହର ଆଇନଗତ ମାଲିକାନା ପ୍ରମାଣପତ୍ର ପାଇନଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କ କହିବା ଅନୁଯାୟୀ, ପଟ୍ଟା ସମ୍ପର୍କରେ ପ୍ରକଳ୍ପ କାର୍ଯ୍ୟାଳୟରେ ପଚାରିବାରୁ ଥଇଥାନ କରାଯାଇଥିବା ଜମି ଜଙ୍ଗଲ କିସମର ହୋଇଥିବାରୁ ତାହାକୁ ଘରଡିହ କିସମକୁ ପରିବର୍ତ୍ତନ କରିବାରେ ସମସ୍ୟା ରହିଥିବା କୁହାଯାଉଛି । ଫଳରେ ଦୀର୍ଘ ଚାରି ବର୍ଷ ଧରି ଅପେକ୍ଷା କରିବା ସତ୍ତ୍ୱେ ସେମାନଙ୍କୁ ପଟ୍ଟା ମିଳିପାରିନାହିଁ । ଏହି ପ୍ରସଙ୍ଗରେ ବିସ୍ଥାପିତ ପରିବାରମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଜମିଟି ଜଙ୍ଗଲ କିସମର ଥିଲା ଏବଂ ଆଇନଗତ ଭାବେ ପଟ୍ଟା ପ୍ରଦାନ ସମ୍ଭବ ନଥିଲା, ତେବେ ଥଇଥାନ ପୂର୍ବରୁ ଏହାର ଆଇନଗତ ସ୍ଥିତି କାହିଁକି ଯାଞ୍ଚ କରାଯାଇନଥିଲା ? ଏହାର ସମାଧାନ ନକରି ସେମାନଙ୍କୁ ସେଠାରେ ଥଇଥାନ କରିବା ଏବଂ ଘର ନିର୍ମାଣ ପାଇଁ ବ୍ୟବସ୍ଥା କରିବାର ଯଥାର୍ଥତା କ'ଣ ବୋଲି ସେମାନେ ଜାଣିବାକୁ ଚାହିଁଛନ୍ତି । ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟ, ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ ଏବଂ ପିଲାମାନଙ୍କ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ସମସ୍ୟା ହେଉଥିବା ସେମାନେ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି । ସହାୟତା ରାଶି ବିନିଯୋଗ କରି ଘର, ବାଡ଼ି ଓ ବଗିଚା ଆଦି ନିର୍ମାଣ କରିଥିଲେ ମଧ୍ୟ ଜମିର ଆଇନଗତ ମାଲିକାନା ନଥିବାରୁ ସେମାନେ ଅନିଶ୍ଚିତତାରେ ଜୀବନ ବିତାଉଥିବା ଜଣାଇଛନ୍ତି । ଦରଖାସ୍ତରେ ମୋଟ ୮ଟି ଦାବି ରଖାଯାଇଛି । ଏଥିରେ ଆବଣ୍ଟିତ ଜମିର ଖାତା, ପ୍ଲଟ୍ ନମ୍ବର, କିସମ ଓ ମାଲିକାନାର ଯାଞ୍ଚ, ଯୋଗ୍ୟ ପରିବାରଙ୍କୁ ଶୀଘ୍ର ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ କିସମ ଜମି ସମସ୍ୟାର ଆଇନସମ୍ମତ ସମାଧାନ ଏବଂ ଆବଶ୍ୟକ ହେଲେ ବିକଳ୍ପ ଘରଡିହ ଯୋଗାଇବାକୁ ଦାବି କରାଯାଇଛି । ଏଥିସହ ଥଇଥାନ ପୂର୍ବରୁ ଜମିର ସ୍ଥିତି ଯାଞ୍ଚ ହୋଇଥିଲା କି ନାହିଁ ଓ ପଟ୍ଟା ପ୍ରଦାନରେ ବିଳମ୍ବର କାରଣ କ'ଣ, ତାହାର ନିରପେକ୍ଷ ତଦନ୍ତ ସହ ପ୍ରଶାସନିକ ତ୍ରୁଟି ବା ଅବହେଳା ଯୋଗୁଁ କ୍ଷତି ହୋଇଥିଲେ ନିୟମ ଅନୁଯାୟୀ କ୍ଷତିପୂରଣ, ସ୍ଥଳ ପରିଦର୍ଶନ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ଅନୁରୋଧ କରାଯାଇଛି । ବିସ୍ଥାପିତ ପରିବାରମାନେ କହିଛନ୍ତି ଯେ, ସେମାନେ ଉନ୍ନୟନମୂଳକ ପ୍ରକଳ୍ପର ବିରୋଧୀ ନୁହନ୍ତି । କିନ୍ତୁ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ପରିବାରଙ୍କୁ ସ୍ଥାୟୀ ବାସସ୍ଥାନ, ଆଇନଗତ ସୁରକ୍ଷା ଓ ସମ୍ମାନଜନକ ଜୀବନ ଯୋଗାଇଦେବା ପ୍ରଶାସନର ଦାୟିତ୍ୱ । ତେଣୁ ଆଉ ବିଳମ୍ବ ନକରି ଘରଡିହ ପଟ୍ଟା କିମ୍ବା ଆଇନସମ୍ମତ ବିକଳ୍ପ ପୁନର୍ବାସ ସହ ନ୍ୟାୟସଙ୍ଗତ ଦାବିଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ସେମାନେ ନିବେଦନ କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ସମ୍ବନ୍ଧରେ ବିସ୍ଥାପିତ ପରିବାରଙ୍କ ଦ୍ୱାରା ପୂର୍ବରୁ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବାର ସୂଚନା ମିଳିଛି । ଏବେ ପ୍ରଶ୍ନ ଉଠୁଛି, ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଏହି ପଟ୍ଟା ସମସ୍ୟାର ସମାଧାନ କେବେ ହେବ ଏବଂ ବିସ୍ଥାପିତ ପରିବାରମାନେ କେବେ ନିଜ ବାସସ୍ଥାନର ଆଇନଗତ ଅଧିକାର ପାଇବେ ?
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta