
ଝାରସୁଗୁଡ଼ା, ୨୨ ନଭେମ୍ବର (ହି.ସ.) - ନିଜ ଅଂଚଳରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ମୃତଦେହକୁ ଧରି ୭୦ କିଲୋମିଟର ଦୂର ଝାରସୁଗୁଡ଼ା ଯିବାକୁ ପଡ଼ୁଛି। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ୱାସୀ। ଓଡ଼ିଶାର ଦ୍ୱିତୀୟ ବୃହତମ ବ୍ଲକ୍ ଭାବେ ପରିଚିତ ଏହି ବ୍ଲକ୍ରେ ୩୩ଟି ପଂଚାୟତ ଓ ଲକ୍ଷାଧିକ ଜନସଂଖ୍ୟା ରହିଥିବା ବେଳେ ଏଠାରେ ଏକ ସ୍ଥାୟୀ ଶବ ବ୍ୟବଚ୍ଛେଦ ଗୃହ ନଥିବା ଚିନ୍ତାର ବିଷୟ ପାଲଟିଛି।
ଲଖନପୁର ବ୍ଲକ୍ ମଧ୍ୟଦେଇ ଜାତୀୟ ରାଜପଥ-୪୯ ଯାଇଥିବାରୁ ଅଂଚଳରେ ନିୟମିତ ସଡ଼କ ଦୁର୍ଘଟଣା ଓ ବିଭିନ୍ନ ଅପମୃତ୍ୟୁ ଘଟଣା ଘଟୁଛି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏଠାରେ ଶବ ବ୍ୟବଚ୍ଛେଦର କୌଣସି ସୁବିଧା ନାହିଁ। ଫଳରେ ପୁଲିସର ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହ ଧରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି।
ସେଠାରେ ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବାରୁ ପରିବାର ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଉଛି। ଶବ ବ୍ୟବଚ୍ଛେଦ ଓ ଫେରିବା ପ୍ରକ୍ରିୟାରେ ସନ୍ଧ୍ୟା ହୋଇଯାଉଥିବାରୁ ଅନେକ ସମୟରେ ସେହିଦିନ ଶବ ସତ୍କାର କରିବା ସମ୍ଭବ ହେଉନାହିଁ। ଏହାସହ ଗାଡ଼ି ଭଡ଼ା, ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଗରିବ ପରିବାରଗୁଡ଼ିକୁ ଧାରକରଜ କରିବାକୁ ପଡ଼ୁଛି। ଆତ୍ମୀୟଙ୍କୁ ହରାଇବାର ଅସହ୍ୟ ଦୁଃଖ ସହ ଏଭଳି ଆର୍ôଥକ ଓ ମାନସିକ ଯନ୍ତ୍ରଣା ସେମାନଙ୍କ ପାଇଁ ଦ୍ୱିଗୁଣିତ ବୋଝ ପାଲଟିଛି।
ଅଂଚଳର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ଓ ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଲଖନପୁରରେ ତୁରନ୍ତ ଏକ ସ୍ଥାୟୀ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ କରିବାକୁ ଦାବି ଜୋର ଧରିଛି। ଏଥିସହ ପ୍ରଶିକ୍ଷିତ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରି ୨୪ ଘଂଟିଆ ଶବ ବ୍ୟବଚ୍ଛେଦ ସେବା ଯୋଗାଇଦେବାକୁ ଅଂଚଳବାସୀ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି।
ଏ ସମ୍ପର୍କରେ ଝାରସୁଗୁଡ଼ା ସିଡିଏମ୍ଓ ଡା. ଶକ୍ତି ପ୍ରସାଦ ପାଢ଼ୀଙ୍କୁ ପଚାରିବାରୁ, ଲଖନପୁରରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍ଶୀଘ୍ର ଏହାର ପାଚେରି ନିର୍ମାଣ କାର?୍ୟ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ କେବଳ ଜମି ଚିହ୍ନଟ ଓ ପାଚେରି ନିର୍ମାଣରେ ଏହି ପ୍ରକଳ୍ପ ସୀମିତ ନରହି ତୁରନ୍ତ ଗୃହ ନିର୍ମାଣ, ଡାକ୍ତର ନିଯୁକ୍ତି ଓ ସେବା ଆରମ୍ଭ ହେଉ ବୋଲି ଅଂଚଳବାସୀ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ