ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ସଚେତନତା ପାଇଁ ‘ସ୍ୱର’ ଅଭିଯାନର ଶୁଭାରମ୍ଭ
ରୋଗୀଙ୍କ ଅନୁଭୂତିକୁ ସ୍ୱର ଦେବା ସହ ପରିବାରକୁ ସହଯୋଗ ଯୋଗାଇବା ଏହାର ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ.) ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗୀଙ୍କ ଅନୁଭୂତିକୁ ସ୍ୱର ଦେବା ଏବଂ ସେମାନଙ୍କ ପରିବାରକୁ ସହଯୋଗ ଯୋଗାଇବା ଲକ୍ଷ୍ୟରେ ‘ସ
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ସଚେତନତା ପାଇଁ ‘ସ୍ୱର’ ଅଭିଯାନର ଶୁଭାରମ୍ଭ


ରୋଗୀଙ୍କ ଅନୁଭୂତିକୁ ସ୍ୱର ଦେବା ସହ ପରିବାରକୁ ସହଯୋଗ ଯୋଗାଇବା ଏହାର ଲକ୍ଷ୍ୟ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ.) ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗୀଙ୍କ ଅନୁଭୂତିକୁ ସ୍ୱର ଦେବା ଏବଂ ସେମାନଙ୍କ ପରିବାରକୁ ସହଯୋଗ ଯୋଗାଇବା ଲକ୍ଷ୍ୟରେ ‘ସ୍ୱର’ (ଏସ୍‌ଡବ୍ଲ୍ୟୁଏଆର୍‌ଏ – ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗୀଙ୍କ ସଚେତନତା ଓ ସହଯୋଗ ପାଇଁ ଅଭିଯାନ)ର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ‘ସ୍ୱର’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଅଭିନବ ସାମାଜିକ ପ୍ରୟାସ। ଏହା ମାଧ୍ୟମରେ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ସହ ରୋଗୀ ଓ ସେମାନଙ୍କ ପରିବାରକୁ ସହଯୋଗ ଯୋଗାଇବାର ଉଦ୍ୟମ କରାଯାଉଛି। ଏଭଳି ଉଦ୍ୟମ ପାଇଁ ସେ ଆୟୋଜକ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ଦୀର୍ଘସ୍ଥାୟୀ ପ୍ରଦାହଜନିତ ବାତରୋଗ। ଏହା ମୁଖ୍ୟତଃ ମେରୁଦଣ୍ଡ ଏବଂ ଏହା ସହ ସଂଯୁକ୍ତ ଗଣ୍ଠିଗୁଡ଼ିକୁ ପ୍ରଭାବିତ କରିଥାଏ। ସାଧାରଣତଃ ୪୫ ବର୍ଷ ବୟସ ପୂର୍ବରୁ ଏହାର ଲକ୍ଷଣ ଦେଖାଦେଇପାରେ। ପିଠି ଓ କଟି ଅଞ୍ଚଳରେ ଦୀର୍ଘସ୍ଥାୟୀ ଯନ୍ତ୍ରଣା, ସକାଳେ ଶରୀର ଜଡ଼ ହୋଇଯିବା ଏବଂ ଚଳପ୍ରଚଳରେ ଅସୁବିଧା ଭଳି ଲକ୍ଷଣକୁ ଅଣଦେଖା ନକରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ସମୟୋଚିତ ଲକ୍ଷଣ ଚିହ୍ନଟ, ବିଶେଷଜ୍ଞଙ୍କ ପରାମର୍ଶ ଏବଂ ନିୟମିତ ଚିକିତ୍ସା ଦ୍ୱାରା ଯନ୍ତ୍ରଣା ନିୟନ୍ତ୍ରଣ କରିବା ସହ ଚଳପ୍ରଚଳ କ୍ଷମତା ଓ ସ୍ୱାଧୀନ ଜୀବନଶୈଳୀ ବଜାୟ ରଖିବା ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।

‘ଚିକିତ୍ସା ସହ ଭରସା, ଜୀବନରେ ନୂଆ ଆଶା’ ଏବଂ ‘ସଚେତନତାରୁ ପରିବର୍ତ୍ତନ- ଉଠୁ ସ୍ୱର, ଜାଗୁ ସମାଜ’ ଭଳି ବାର୍ତ୍ତା ମାଧ୍ୟମରେ ରୋଗୀ, ପରିବାର ଓ ସମାଜ ମଧ୍ୟରେ ସଚେତନତା ଓ ସହଯୋଗର ସେତୁ ଗଢ଼ିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ, ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ବରିଷ୍ଠ ନେତା ଜେ. ପ୍ରଧାନ, ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande