
ଝାରସୁଗୁଡ଼ା, ୨୨: ନଭେମ୍ବର (ହି.ସ.) - ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଓଡ଼ିଶାର ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଏକ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜୁନିୟର ଓ ସିନିୟର ବିଭାଗରେ ଅଂଶଗ୍ରହଣ କରି ନିଜ ନିଜର ଚିତ୍ରକଳା ପ୍ରତିଭା ପ୍ରଦର୍ଶନ କରିଥିଲେ।
ପ୍ରତିଯୋଗିତା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କେନ୍ଦ୍ର ଖୋଲାଯାଇଥିଲା। ଲାଇକେରାସ୍ଥିତ ପିଏମ୍ଶ୍ରୀ ବିଦ୍ୟାଳୟ, କୁଲାବିରା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, କିର୍ମିରା ଯୁକ୍ତ ଦୁଇ କଲେଜ, ଝାରସୁଗୁଡ଼ାର ଶ୍ରୀଅରବିନ୍ଦ ବିଦ୍ୟାଳୟ ଓ ସରବାହାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବେଲପାହାଡ଼ର ଗିରିଧାରୀଲାଲ ଉଚ୍ଚ ବିଦ୍ୟାଳୟ ଏବଂ ଲଖନପୁର ବ୍ଲକର କତରବଗା ଉଚ୍ଚ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସମ୍ପାଦିକା ଡକ୍ଟର ସ୍ୱର୍ଣ୍ଣମୟୀ ପୁରୋହିତ ସଂଯୋଜନା କରିଥିଲେ। ଏହାର ସଫଳ ଆୟୋଜନରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳାତ୍ମକ ଚିନ୍ତାଧାରା ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଏହି ପ୍ରତିଯୋଗିତା ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ସମସ୍ତ ସହଯୋଗୀ, ଶିକ୍ଷାନୁଷ୍ଠାନ ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ