
ଝାରସୁଗୁଡା, ୨୨ ନଭେମ୍ବର (ହି.ସ.)-ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମସ୍ଥିତ ଗୌରାଙ୍ଗ ମଠ ପରିସରରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ମହାଯଜ୍ଞର ଅନ୍ତିମ ଦିବସରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପୂରା ମଠ ପରିସର ହରିନାମ ସଂକୀର୍ତ୍ତନ ଓ ଭଜନରେ ମୁଖରିତ ହୋଇଉଠିଥିଲା।ରବିବାର ପୂର୍ବାହ୍ନ ୧୦ଟାରେ ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ଏହାପରେ ଆରତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ ରେ ସାଧୁସେବା ଏବଂ ଅପରାହ୍ନ ୧ଟା ୧୫ ମିନିଟ୍ ରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ମହାଯଜ୍ଞର ପୂର୍ବ ଦିନଗୁଡ଼ିକରେ ଭଗବତ୍ ଗୀତା ହୋମ, ଶ୍ରୀବିଷ୍ଣୁ ସହସ୍ରନାମ ହୋମ, ଶ୍ରୀଲକ୍ଷ୍ମୀ ହୋମ ଓ ରୁଦ୍ର ହୋମ ଭଳି ବିଭିନ୍ନ ବୈଦିକ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଦିବସରେ ପ୍ରସିଦ୍ଧ କୀର୍ତ୍ତନ ଗାୟକ ବୁଲୁ ଶତପଥୀଙ୍କ କୀର୍ତ୍ତନ ବୈଠକୀ ଓ ଭଜନ ପରିବେଷଣ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା।ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଓ ପଣ୍ଡିତ ସୁରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଏବଂ ମଠାଧୀଶ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସାନ୍ନିଧ୍ୟରେ ମହାଯଜ୍ଞ ସମ୍ପନ୍ନ ହୋଇଥିଲା। ନିବେଦକ ତଥା କର୍ତ୍ତା ବିଶ୍ୱନାଥ ତ୍ରିପାଠୀ ଓ କମଳିନୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଧାର୍ମିକ ଉତ୍ସବରେ ତ୍ରିନାଥ ତ୍ରିପାଠୀ, ଗଣନାଥ ତ୍ରିପାଠୀଙ୍କ ସମେତ ଶ୍ରୀପୁରା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାଯଜ୍ଞ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ