
ବଲାଙ୍ଗିର, ୨୨ ନଭେମ୍ବର (ହି.ସ.)- ୧୧ (ଓ) ବାଟାଲିୟନ୍, ବଲାଙ୍ଗୀର ଅଧୀନସ୍ଥ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରର ଏନ୍ସିସି ୟୁନିଟ୍ ପକ୍ଷରୁ ଛାତ୍ରୀ କ୍ୟାଡେଟ୍ମାନଙ୍କ ମଧ୍ୟରେ ଶୃଙ୍ଖଳା, ସମର୍ପଣ ଓ ନେତୃତ୍ୱ ଦକ୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଆଜି ଏକ ରାଙ୍କ୍ ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ବିଭୂତି ଭୂଷଣ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଓ ଶୃଙ୍ଖଳା ବିକାଶରେ ଏନ୍ସିସିର ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି ସମାରୋହରେ ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାଭେଲ ରୟ, ସୁବେଦାର ମେଜର ବିଜୟ ବର୍ମା, ଗାର୍ଲ କ୍ୟାଡେଟ୍ ଇନ୍ଷ୍ଟ୍ରକ୍ଟର ଅଞ୍ଜଳି ଶୁକ୍ଳା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଯୋଗଦାନ କରିଥିଲେ। ବିଭୂତି ଭୂଷଣ ସାହୁ ଓ ସିଟିଓ ପ୍ରତୀକ୍ଷା ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିଥିମାନେ କ୍ୟାଡେଟ୍ମାନଙ୍କୁ ନିଜ ଦାୟିତ୍ୱକୁ ନିଷ୍ଠା, ଶୃଙ୍ଖଳା ଓ ପ୍ରତିବଦ୍ଧତାର ସହ ପାଳନ କରିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିଥିମାନେ ଏନ୍ସିସିରେ ଶୃଙ୍ଖଳା, ସମର୍ପଣ, ଦାୟିତ୍ୱବୋଧ ଓ ନେତୃତ୍ୱର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ନବନିଯୁକ୍ତ ରାଙ୍କ୍ଧାରୀ କ୍ୟାଡେଟ୍ମାନଙ୍କୁ ନିଜ କାର୍ଯ୍ୟ ଓ ଆଚରଣ ମାଧ୍ୟମରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ସହ ଏନ୍ସିସିର ମୂଳମନ୍ତ୍ର “ଏକତା ଓ ଶୃଙ୍ଖଳା”କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଆଠ ଜଣ କ୍ୟାଡେଟ୍ଙ୍କୁ ବିଭିନ୍ନ ପଦବୀରେ ଅଭିଷିକ୍ତ କରାଯାଇଥିଲା। ଲୋପା ଓ ବର୍ଷାଙ୍କୁ ଲାନ୍ସ କର୍ପୋରାଲ୍ (LCPL), ରଶ୍ମି ଓ ସାଙ୍ଗ୍ୟାଙ୍କୁ କର୍ପୋରାଲ୍ (CPL), ଶିବାନୀ ଓ ସଙ୍ଗୀତାଙ୍କୁ ସାର୍ଜେଣ୍ଟ (SGT), ପୁନମ୍ଙ୍କୁ କମ୍ପାନୀ କ୍ୱାର୍ଟର ମାଷ୍ଟର ସାର୍ଜେଣ୍ଟ (CQMS) ଏବଂ ସୁପ୍ରଭାତୀଙ୍କୁ ଜୁନିଅର ଅଣ୍ଡର ଅଫିସର (JUO) ପଦବୀ ପ୍ରଦାନ କରାଯାଇଥିଲା।
ଶେଷରେ ସିଟିଓ ପ୍ରତୀକ୍ଷା ପ୍ରତିଶ୍ରୁତି ଧନ୍ୟବାଦ ଅର୍ପଣ କରି ଅତିଥିବୃନ୍ଦ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା ଓ କ୍ୟାଡେଟ୍ମାନଙ୍କ ଉପସ୍ଥିତି, ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଏଥିସହ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ