ବୃନ୍ଦାମାଲ ଷ୍ଟେସନର ନିକଟରୁ ୯ କେଜି ଗଞ୍ଜେଇ ଜବତ, ଛତିଶଗଡ଼ର ଯୁବକ ଗିରଫ
Ganja with one youth arrest
ବୃନ୍ଦାମାଲ ଷ୍ଟେସନର ନିକଟରୁ ୯ କେଜି ଗଞ୍ଜେଇ ଜବତ, ଛତିଶଗଡ଼ର ଯୁବକ ଗିରଫ


ଝାରସୁଗୁଡା , 22 ନଭେମ୍ବର (ହି.ସ.): ବୃନ୍ଦାମାଲ ରେଳବାଇ ଷ୍ଟେସନ ନିକଟରୁ ପ୍ରାୟ ୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି ବଡ଼ମାଳ ପୋଲିସ। ଗିରଫ ଯୁବକ ଜଣକ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲାର ସାଧୁରାମ ଦାସ (୪୦) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ସାଧୁରାମ ସମ୍ବଲପୁରରୁ ଟ୍ରେନ ଯୋଗେ ଆସି ବୃନ୍ଦାମାଲ ରେଳବାଇ ଷ୍ଟେସନରେ ଓହ୍ଲାଇଥିଲେ। ପରେ ସେ ବୃନ୍ଦାମାଲ ଛକରେ ଝାରସୁଗୁଡ଼ା ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ପେଟ୍ରୋଲିଂରେ ଥିବା ବଡ଼ମାଳ ଥାନାର ଏସ୍ଆଇ ଶଶାଙ୍କ କୁମାର ରାୟ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ପ୍ରାୟ ୯ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।

ଏହାପରେ ପୋଲିସ ଗଞ୍ଜେଇ ଜବତ କରିବା ସହ ସାଧୁରାମଙ୍କୁ ଗିରଫ କରିଥିଲା। ଗତକାଲି ରାତିରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଗଞ୍ଜେଇ ଚାଲାଣର ଉତ୍ସ ଓ ଏହା ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ, ବୃନ୍ଦାମାଲ ରେଳବାଇ ଷ୍ଟେସନର ଭୌଗୋଳିକ ଅବସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଷ୍ଟେସନଟି ଏକ ନିର୍ଜନ ସ୍ଥାନରେ ଥିବାରୁ ଏଠାରେ ଅସାମାଜିକ କାର୍ଯ୍ୟକଳାପ ଓ ଚୋରା ଚାଲାଣକୁ ରୋକିବା କଷ୍ଟକର ହେଉଥିବା ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଏଠାରେ ଦ୍ରୁତଗାମୀ ଟ୍ରେନ ରହଣି ନଥିବାରୁ ରେଳବାଇ ପୋଲିସର ନିୟମିତ ନଜର ମଧ୍ୟ କମ୍ ରହୁଥିବା ଅଭିଯୋଗ ହୋଇଛି। ଷ୍ଟେସନଟି ରାଜ୍ୟ ରାଜପଥ ନିକଟରେ ଥିବାରୁ ବିଭିନ୍ନ ଦିଗକୁ ଯାତାୟାତ ସହଜ ହେଉଛି।

ତେଣୁ ଏହି ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ଏବଂ ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ କଡ଼ା ନଜର ରଖିବା ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande