
ଭୁବନେଶ୍ୱର, ୨୨ ନଭେମ୍ବର (ହି.ସ.)। ଓଡ଼ିଶାରେ ଶାସକ ବିଜେପି ଦଳର ସଂଗଠନକୁ ଆହୁରି ମଜଭୁତ କରିବା ଉଦ୍ୟମ ମଧ୍ୟରେ ଭଗବାନପୁର ଗ୍ରାମରେ ବିଜେଡିକୁ ଝଟକା ଲାଗିଛି। ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତିରେ ଗଂଜାମ ଜିଲ୍ଲାର ଭଗବାନପୁର ନାଏବ ସରପଞ୍ଚଙ୍କ ସମେତ ବହୁ ୱାର୍ଡ ସଭ୍ୟ ଏବଂ ଶତାଧିକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।
ମନ୍ତ୍ରୀ ଶ୍ରୀ ମଲ୍ଲିକ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଭଗବାନପୁର ଗ୍ରାମର ବଡ଼ଦାଣ୍ଡଠାରେ ଆୟୋଜିତ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀରେ ସେ ଯୋଗଦେଇଥିଲେ। ଲୋକଙ୍କ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ଓ ବିକାଶମୂଳକ ନୀତିରେ ଅନୁପ୍ରାଣିତ ହୋଇ ଯୁବନେତା ହରପ୍ରସାଦ ସାହୁଙ୍କ ନେତୃତ୍ୱରେ ଏହି ନେତା ଓ କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି।
ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟମାନଙ୍କୁ ମନ୍ତ୍ରୀ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସହ ଏହି ଯୋଗଦାନ ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥିସହ ଜନସେବା ଓ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସମସ୍ତେ ମିଳିମିଶି ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ