
ବଲାଙ୍ଗିର, ୨୨ ନଭେମ୍ବର (ହି.ସ.) - କୋସଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିର ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡା ବଲାଙ୍ଗିର ଠାରେ ସଂସଦର ସଭାପତି ବିଶିଷ୍ଟ ସାହିତ୍ୟିକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ୍ କବି ତଥା କୋସଲବାଦୀ ନେତା ସୁଶୀଳ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋସଲି ଭାଷା ସାହିତ୍ୟର ବହୁଳ ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରସରାଜ ଅଚ୍ୟୁତ ପୁରୋହିତ ଯୋଗଦେଇ ହାସ୍ୟରସରେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ତଥା କୋସଲପ୍ରବାହ ର ପ୍ରତିଷ୍ଠାତା ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇ କୋସଲି ଭାଷା ଆମ ମାଁ ର ଭାଷା, ତେଣୁ ଭାଷା ମାଁ କୁ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ବଲାଙ୍ଗିରର ବିଶିଷ୍ଟ ସମାଜସେବୀ କିଶୋର ରଥ, ବିଶିଷ୍ଟ କବି ଶ୍ୟାମ ସୁନ୍ଦର ପ୍ରଧାନ ଓ ଦିଲୀପ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାତା ସମ୍ପାଦକ ଡ. ଗୋପୀକୃଷ୍ଣ ପଣ୍ଡିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡ. ମିନତୀ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ସୋମନାଥ ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପ ସଭାପତି ସନ୍ତୋଷ ଉପାଧ୍ୟାୟ, ବିଶିଷ୍ଟ ସାହିତ୍ୟିକ ଭବାନୀ ଶଙ୍କର ପଟେଲ ଓ କବି ସନାତନ ମିଶ୍ର ମଞ୍ଚାସୀନ ଥିଲେ। ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ ଚନ୍ଦନା ମଞ୍ଜରୀ ତ୍ରିପାଠୀଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ତୃତୀୟ ଅଧିବେଶନ ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ଆସିଥିବା କବି କବୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସମ୍ପାଦକ ଚରଣ ସା, ବଂଶୀଧର ପଶାୟତ ଓ ପ୍ରଦୀପ କୁମାର ପଣ୍ଡା ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ