ଜମି ପଟ୍ଟା ମିଳିଛି, ଭୂଲେଖରେ ନାହିଁ ନାଁ : ଧାନ ବିକ୍ରିରୁ ବଞ୍ଚିତ ୫ ବିସ୍ଥାପିତ ଗାଁର ଚାଷୀ
Land Titles Issued, But Names Missing from Land Records
ଜମି ପଟ୍ଟା ମିଳିଛି, ଭୂଲେଖରେ ନାହିଁ ନାଁ : ଧାନ ବିକ୍ରିରୁ ବଞ୍ଚିତ ୫ ବିସ୍ଥାପିତ ଗାଁର ଚାଷୀ


ମାର୍ଚ୍ଚ ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ, ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ଚେତାବନୀ

ଝାରସୁଗୁଡା, ୨୨ ନଭେମ୍ବର (ହି.ସ.)- ହୀରାକୁଦ ବିସ୍ଥାପିତଙ୍କ ଜମି ସମସ୍ୟାର ଅନ୍ତ ହେଉନାହିଁ। ହାତରେ ରହିଛି ଜମି ପଟ୍ଟା, ମିଳିଛି ରାଜସ୍ବ ଗ୍ରାମର ମାନ୍ୟତା। ହେଲେ ସରକାରୀ ଭୂଲେଖରେ ନାହିଁ ଗାଁର ନାଁ। ଏଭଳି ସ୍ଥିତିରେ ନିଜ ଜମିରେ ଚାଷ କରୁଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ୫ଟି ବିସ୍ଥାପିତ ଗାଁର ଚାଷୀ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁଁ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିଲେ ଭଟଲି, ବରଙ୍ଗାମାଲ, ସରତଙ୍ଗ, ବତଲଗା ଓ ଭେଜିକୁଦ ଗ୍ରାମର ଲୋକେ। ଦୀର୍ଘବର୍ଷର ସଂଘର୍ଷ ପରେ ୨୦୨୪ ମସିହାରେ ଏହି ପାଞ୍ଚଟି ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିଲା। ଏହାପରେ ଗ୍ରାମବାସୀଙ୍କ ମଧ୍ୟରେ ଜମି ଅଧିକାରକୁ ନେଇ ନୂଆ ଆଶା ସଞ୍ଚାର ହୋଇଥିଲା। ଚାଷୀଙ୍କୁ ଜମି ପଟ୍ଟା ମଧ୍ୟ ବଣ୍ଟନ କରାଯାଇଥିଲା। ମାତ୍ର ଏଯାଏଁ ସରକାରୀ ଭୂଲେଖରେ ଗାଁ ଓ ଜମିର ନାମ ସାମିଲ ହୋଇନଥିବାରୁ ସମସ୍ୟା ଦୂର ହୋଇପାରିନାହିଁ। ଭୂଲେଖରେ ଜମି ନିଜ ନାମରେ ପଞ୍ଜୀକୃତ ହୋଇନଥିବାରୁ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ବାଧ୍ୟ ହୋଇ ଦଲାଲ ଓ ବାହାର ବେପାରୀଙ୍କୁ କମ୍ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି। ପଟ୍ଟା ଥାଇ ମଧ୍ୟ ନିଜ ଜମିର ସମ୍ପୂର୍ଣ୍ଣ ଅଧିକାର ଉପଭୋଗ କରିନପାରିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ଏହି ସମସ୍ୟାର ସମାଧାନ ଦାବିରେ ଆଜି ଚାରପାଳି ବରପାଳି ବସ୍ଷ୍ଟାଣ୍ଡ ସଭାଗୃହରେ ଲିଙ୍ଗରାଜ ବଢ଼େଇଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନୋରଞ୍ଜନ ମିଶ୍ର, ରମେଶ ଚନ୍ଦ୍ର ନାଏକ, ରମେଶ ଭୋଇ, ଯୋଗେନ୍ଦ୍ର ଭୋଇ, ଆନନ୍ଦ ଭୋଇ, ରୋହିତ ପଧାନ, ଡମ୍ବରୁ ପଧାନ, ସୁରେଶ ପଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଉପେନ୍ଦ୍ର ଭୋଇଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

ବୈଠକରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ପାଞ୍ଚଟି ଗାଁର ଜମିକୁ ସରକାରୀ ଭୂଲେଖରେ ସାମିଲ କରିବାକୁ ଦାବି ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande