
ଗଂଜାମ, 22 ନଭେମ୍ବର (ହି.ସ.)ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଯୁବପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟ: ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ବଳିଦାନର ସ୍ମତିଚାରଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, କମିଶନର ଆକବରମ ସସ୍ୟା ରେଡ୍ଡୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ତ୍ୟାଗର ଅମର ମହାନ ଗାଥା ସ୍ମରଣ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ କୋରାପୁଟ ଅଞ୍ଚଳର ଆଦିବାସୀମାନଙ୍କୁ ସଂଗଠିତ କରିବା ଏବଂ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ନିର୍ଭୀକ ନେତୃତ୍ୱ ଓ ବଳିଦାନ ସ୍ୱାଧୀନତା ସଂଗ୍ରାମର ଏକ ଅଲିଭା ଅଧ୍ୟାୟ ବୋଲି ସେମାନେ ଉଲ୍ଲେଖ କରିଥିଲେ। ତାଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଯୁବପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ, ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବ୍ରହ୍ମପୁର ବିକ୍ରମ ମହାରଣା, ସଂଚାଳକ ଲୋକନାଥ ଶତପଥୀ, କାରାଗାରର କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ଉଲ୍ଲେଖଯୋଗ୍ୟ, ୧୮୯୯ ମସିହା ନଭେମ୍ବର ୨୨ରେ ଜନ୍ମଗ୍ରହଣ କରିଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ରେ ଏହି ବ୍ରହ୍ମପୁର କାରାଗାରରେ ବ୍ରିଟିଶ ଶାସକ ଫାଶୀ ଦେଇଥିଲେ। ତାଙ୍କ ବଳିଦାନର ସାକ୍ଷୀ ଏହି କାରାଗାର ପରିସରରେ ଜୟନ୍ତୀ ପାଳନ ତାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ଦେଶ ପାଇଁ ତାଙ୍କ ଅମର ତ୍ୟାଗକୁ ପୁନଃ ସ୍ମରଣ କରାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ