
ଜୟପୁର, ୨୨ ନଭେମ୍ବର (ହି.ସ) ଖରିଫ ବିପଣନ ବର୍ଷ ୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ୧୫ ଡିସେମ୍ବରରେ ଖୋଲିବ ବୋଲି ନିଷ୍ପତ୍ତି ନିଆଗଲା । ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ କୁ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବେ କରିବା ନେଇ ବୈଠକ ରେ ବିସ୍ତୃତ ଆଲୋଚନା କରାଯାଇଛି। ଚାଷୀ ପଞ୍ଜୀକରଣ, ଟୋକନ୍ ବ୍ୟବସ୍ଥା, ଧାନର ମାନ ଯାଞ୍ଚ ଆଉ ସମୟ ସୀମା ଭିତରେ ଚାଷୀଙ୍କୁ ଟଙ୍କା ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି। ମଣ୍ଡିରେ ଚାଷୀଙ୍କ ପାଇଁ ପାନୀୟ ଜଳ, ପାଇଖାନା, ବିଶ୍ରାମ ଗୃହ ଆଉ ଛାଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲେକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ଶର୍ମା, ଉପଜିଲ୍ଲାପାଳ ଶ୍ରୀ ଫାବି ରସିଦ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରେଶ ଚନ୍ଦ ଶବର, କୋରାପୁଟ ସାଂସଦ ପ୍ରତିନିଧି ଶ୍ରୀ ମନୋଜ ଆଚାର୍ଯ୍ୟ, ନବରଙ୍ଗପୁର ସାଂସଦ ପ୍ରତିନିଧି ରାମେଶ୍ୱର ଜେନାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି