
ଜୟପୁର, ୨୨ ନଭେମ୍ବର (ହି.ସ.) - ଜୟପୁର ତାରିଣୀ ଛକ ସ୍ଥିତ ବିଜ୍ଞାନ ଇଣ୍ଟରନ୍ୟାସନାଲ ପ୍ରାଥମିକ ବିଦ୍ୟାଳୟ, ଠାରେ ଆଜି ନିର୍ବାଣ ସାହିତ୍ୟ ପରିଷଦ ର ଚଉତିରିଶି ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଡାକ୍ତର ସୁରେନ୍ଦ୍ରନାଥ ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟକ ସମାଜସେବୀ ପ୍ରକାଶ କୁମାର ନାୟକ, ସମ୍ମାନନୀୟ ଅତିଥି ପଂଚବଟୀ ସମ୍ପାଦକ ସାହିତ୍ୟିକ ସୁଶାନ୍ତ କୁମାର ନାୟକ(ରାୟଗଡା), ସମ୍ମାନନୀୟ ବକ୍ତା ସୁସାହିତ୍ୟିକ ଡାକ୍ତର ମଦନାନନ୍ଦ ସେଠ (ଝାରଶୁଗୁଡା), ସମ୍ମାନନୀୟ ବକ୍ତା ଗାଳ୍ପିକ ରବି ନାରାୟଣ ପଣ୍ଡା (ଭୁବନେଶ୍ୱର) ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ୱଳନ ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ଜୟପୁର କଳାକେନ୍ଦ୍ର ଦ୍ୱାରା ପ୍ରାରମ୍ଭିକ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ପରେ ସମ୍ପାଦକ ଗାଳ୍ପିକ ଚନ୍ଦ୍ରକାନ୍ତ ବିଶ୍ୱାଳଙ୍କ ସ୍ୱାଗତ ସମ୍ଭାଷଣ ପରେ କାର୍ଯ୍ୟନିର୍ବାହୀ ସମ୍ପାଦକ ଡ. ପ୍ରଦୀପ ମିଶ୍ରଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ପରେ ପରେ ବାର୍ଷିକ ମୁଖପତ୍ର ନିର୍ବାଣ' ଲୋକାର୍ପିତ ହେବା ସହିତ ଡାକ୍ତର ସୁରେନ୍ଦ୍ରନାଥ ଦାଶଙ୍କ ରଚିତ ତୃତୀୟ ପାନିପଥ' ଓ ଡ. ପ୍ରଦୀପ ମିଶ୍ରଙ୍କ କବିତା ସଙ୍କଳନ ସଞ୍ଜ ନଇଁବା ପରେ' ପାଠକାର୍ପିତ ହୋଇଥିଲା। ମଂଚରେ ବକ୍ତାମାନଙ୍କ ଦ୍ୱାରା ଏକବିଂଶ ଶତାବ୍ଦୀରେ ସର୍ଜନଶୀଳ ସାହିତ୍ୟ ପାଇଁ କୃତ୍ରିମ ବୁଦ୍ଧିମତା ଆଶୀର୍ବାଦ ନା ଅଭିଶାପ' ବିଷୟ ଉପରେ ସବିଶେଷ ଆଲୋକପାତ କାରାଯାଇଥିଲା। ଇତି ଅବସରରେ ଯୁବ ସାହିତ୍ୟିକ ରୂପେଶ ସାହୁ(ରାୟଗଡା)ଙ୍କୁ ନିର୍ବାଣ ଯୁବ ପ୍ରତିଭା ସମ୍ମାନ', ଡ. ଅର୍ଚ୍ଚନା ପ୍ରଧାନଙ୍କୁ(ମୟୁରଭଞ୍ଜ) ନିର୍ବାଣ ଗଳ୍ପ ସମ୍ମାନ', ଏମ୍ ହିମାଂଶୁ ଆଚାରୀଙ୍କୁ (ନବରଙ୍ଗପୁର) କବିତା ପାଇଁ ଗଣେଶ ପ୍ରସାଦ ବିଶ୍ୱାଳ ସ୍ମୃତି ସମ୍ମାନ', ଧିରେନ ମୋହନ ପଟନାୟକଙ୍କୁ(ଜୟପୁର) କୈଳାଶ ଚନ୍ଦ୍ର ମହାପାତ୍ର ସ୍ମୃତି ସମ୍ମାନ, ଶ୍ରୀରଙ୍ଗ ନାୟକଙ୍କୁ (ଗଞ୍ଜାମ) ନିର୍ବାଣ ମାଟିର ମହକ' ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଥମ ଅଧିବେଶନଟିକୁ ଅନୁଷ୍ଠାନର ସହ ସମ୍ପାଦକ ରଘୁନାଥ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଅଶୋକ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ଆକର୍ଷଣୀୟ କବିତା ପାଠୋତ୍ସବ। ଦ୍ୱିତୀୟ ଅଧିବେଶନ ଚାରୋଟି ପର୍ଯ୍ୟାୟରେ ସମ୍ପନ୍ନ କରାଯାଇଥିଲା। ସ୍ମୃତି ପଣ୍ଡା, ଅଶୋକ ମହାରଣା ଓ ବିଜୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ସଂଚାଳନାରେ ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ମୁକ୍ତଛନ୍ଦ, ଦ୍ୱିତୀୟ ପର୍ଯ୍ୟାୟରେ ସନେଟ, ତୃତୀୟ ପର୍ଯ୍ୟାୟରେ ଗୀତି କବିତା, ଓ ଚତୁର୍ଥ ପର୍ଯ୍ୟାୟରେ ବିବିଧ କବିତା ଆବୃତି ଉପସ୍ଥାପନ କରାଯାଇଥିଲା। ଚାଲିଶିରୁ ଉର୍ଦ୍ଧ୍ୱ କବିତା ପାଠକରାଯାଇ ସାହିତ୍ୟର ଏକ ସୁନ୍ଦର ସାବଲୀଳ ପ୍ରବାହରେ ଏକଶହ ପଚାଶରୁ ଉର୍ଦ୍ଧ୍ୱ ସାହିତ୍ୟିକଙ୍କୁ ବାନ୍ଧିରଖିଥିଲା ନିର୍ବାଣର ପ୍ରଚେଷ୍ଠା। ପରିଶେଷରେ ଅବିଭକ୍ତ କୋରାପୁଟର ଉପସ୍ଥିତ ସମସ୍ତ ସାହିତ୍ୟପ୍ରେମୀଙ୍କୁ ଭାଗ୍ୟଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି