ଶ୍ରୀମନ୍ଦିରରେ ଡାଳିକିଆ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ପୁରୀ, ୨୨ ନଭେମ୍ବର (ହି.ସ.)- ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରବିବାର ଦିନ ଡାଳିକିଆ ବା ତ୍ରିବିକ୍ରମ ବେଶରେ ସଜିତ କରାଯାଇଛି | ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ମହାପଞ୍ଚୁକର ଦ୍ଵିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ତ୍ରିବିକ୍ରମ
ଶ୍ରୀମନ୍ଦିର ରେ ଡାଳିକିଆ ବେଶ ରେ ଦର୍ଶନ ଦେଲେ ଶ୍ରୀଜୀଉ


ପୁରୀ, ୨୨ ନଭେମ୍ବର (ହି.ସ.)- ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରବିବାର ଦିନ ଡାଳିକିଆ ବା ତ୍ରିବିକ୍ରମ ବେଶରେ ସଜିତ କରାଯାଇଛି | ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ମହାପଞ୍ଚୁକର ଦ୍ଵିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନନ୍ୟ ତ୍ରିବିକ୍ରମ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନଙ୍କ ଏହି ମନୋରମ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀଜୀଉମାନଙ୍କ ଅବକାଶ ନୀତି ସମାପନ ପରେ ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଛନ୍ତି ।

ଆଜି ଶ୍ରୀମନ୍ଦିର ନୀତି ଅନୁଯାୟୀ, ମଙ୍ଗଳ ଆଳତି ସକାଳ ୦୭.୨୦, ମଇଲମ -୦୭.୨୫, ତଡ଼ପ ଲାଗି -୦୭.୪୫, ଅବକାଶ ପୂଜା ଠା -୦୭.୫୦, ଅବକାଶ ପୂଜା -୦୭.୫୫, ଅବକାଶ ପୂଜା ଶେଷ -୦୮.୧୦, ମଇଲମ -୦୮.୧୫, ରୋଷହୋମ -୦୮.୨୦, ତ୍ରିବିକ୍ରମ ବେଶ ଆରମ୍ଭ -୦୮.୨୫, ତ୍ରିବିକ୍ରମ ବେଶ ଶେଷ -୧୦.୪୦ ହୋଇଛି |

ତ୍ରିବିକ୍ରମ ବେଶର ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଶୋଭା ପାଉଥିବା ସ୍ଵତନ୍ତ୍ର ଚୂଳ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ନିର୍ମିତ ଚୂଳ ଲଗାଯାଇଛି । ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଡାଳି ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ଶୋଭା ପାଉଛି । ଦେବୀ ସୁଭଦ୍ରାଙ୍କ ସମେତ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକରେ ମଧ୍ୟ ସ୍ଵର୍ଣ୍ଣ ଚନ୍ଦ୍ରିକା ଖଞ୍ଜାଯାଇଛି । ଏହି ବେଶରେ ଠାକୁରମାନଙ୍କୁ ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାର ଓ ପାଟବସ୍ତ୍ରରେ ସଜ୍ଜିତ କରାଯାଇଛି । ଶ୍ରୀଜୀଉମାନେ ହଳ, ମୂଷଳ, ଶଙ୍ଖ ଓ ଚକ୍ର ଧାରଣ କରିଛନ୍ତି । ଏଥିସହ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି ଓ ପଦକ ମାଳି ସହିତ ଅନ୍ୟାନ୍ୟ ଅଳଙ୍କାର, ଶ୍ରୀପୟର ଓ ଶ୍ରୀହସ୍ତ ଲାଗି କରାଯାଇଛି । ମହାପ୍ରଭୁଙ୍କ ଏହି ଦିବ୍ୟ ରୂପ ଭକ୍ତଙ୍କୁ ଆଧ୍ୟାତ୍ମିକ ଭାବନାରେ ବିଭୋର କରିଛି । ମହାପଞ୍ଚୁକର ଦ୍ଵିତୀୟ ଦିନରେ ଚଉରା ପୂଜା ସହ ହବିଷ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀମାନେ । ମାସବ୍ୟାପୀ କାର୍ତ୍ତିକ ବ୍ରତ ପାଳନ ପରେ ପଞ୍ଚୁକର ଏହି ପବିତ୍ର ଦିନଗୁଡ଼ିକରେ ଧାର୍ମିକ ଆସ୍ଥା ଆହୁରି ଗଭୀର ହୋଇଛି । ବ୍ରତ ପାଳନ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲାଗି ରହିଛି ଭକ୍ତଙ୍କ ଗହଳି ଚହଳି। ଜୟ ଜଗନ୍ନାଥ ଧ୍ଵନିରେ ମୁଖରିତ ହେଉଛି ସମଗ୍ର ଶ୍ରୀମନ୍ଦିର ପରିସର । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande