

ସମ୍ବଲପୁର, ୨୨, ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ଏବଂ ସ୍ୱଚ୍ଛତାର ସହ ପରିଚାଳନା କରିବା ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ , ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ , ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ରାଜ୍ୟ ପସଙ୍ଖାୟତିରାଜ ଓ ପାନୀୟଜଳ ମନ୍ତ୍ରୀଙ୍କ ପ୍ରତିନିଧି ବିଭୁତି କଲ୍ୟାଣ ପଟେଲ, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ମନୋଜ ମହାପାତ୍ର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା , ସମବାୟ ଉପ-ନିବନ୍ଧକ ଲକ୍ଷ୍ମୀଧର ରାଉତ, ଚାଷୀ ପ୍ରତିନିଧି ଯୋଗବିହାରୀ ପରିଡା, ମିତ୍ରଭାନୁ ପଟେଲ, ସୁବୋଧ ପଟେଲ, ସୂର୍ଯ୍ୟ ପାଣିଗ୍ରାହୀ ଏବଂ ମିଲର୍ସ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ସର୍ବସମ୍ମତି କ୍ରମେ ଚଳିତ ଖରିଫ୍ ଋତୁ ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଗତ ବର୍ଷ ଜିଲ୍ଲାରେ ଖରିଫ୍ ଓ ରବି ଋତୁରେ ପ୍ରାୟ ୪୭ ଲକ୍ଷ କ୍ୱିଂଟାଲ ଧାନ ସଫଳତାର ସହ ସଂଗ୍ରହ ହୋଇଥିବା ସୂଚନା ଦେଇଥିଲେ। ଚଳିତ ଖରିଫ୍ ଋତୁରେ ଧାନ ବିକ୍ରି କରିବା ପାଇଁ ଗତ ବର୍ଷର ୬୫ ହଜାର ଚାଷୀଙ୍କ ତୁଳନାରେ ପ୍ରାୟ ୧୨ରୁ ୧୩ ପ୍ରତିଶତ ଅଧିକ ଅର୍ଥାତ୍ ମୋଟ ୭୨ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାର ୪୫ଟି ପ୍ରାଥମିକ କୃଷି ସମବାୟ ସମିତି ତଥା ପାକ୍ସ ଓ ଲ୍ୟାମ୍ପସ ଅଧୀନରେ ଥିବା ୧୨୬ଟି ଧାନ କ୍ରୟ କେନ୍ଦ୍ର ତଥା ପିପିସି/ ମାର୍କେଟ ୟାର୍ଡ ମାଧ୍ୟମରେ ଏହି ଧାନ ସଂଗ୍ରହ କରାଯିବ। ଏହାର ସଠିକ୍ ତଦାରଖ ପାଇଁ ୧୨୬ ଜଣ ମଣ୍ଡି ନୋଡାଲ ଅଫିସର ଏବଂ ୨୪ ଜଣ ମଣ୍ଡି ସୁପରଭାଇଜିଂ ଅଫିସରଙ୍କୁ ନିୟୋଜିତ କରାଯିବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମ୍ଏସପି ଅନୁଯାୟୀ ଚଳିତ ବର୍ଷ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ' ଧାନ କ୍ୱିଣ୍ଟାଲ ପିଛା ୨,୪୬୧ ଟଙ୍କା ଦରରେ କିଣାଯିବ। ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପାଲ, ପଲିଥିନ୍, ପାନୀୟ ଜଳ ଏବଂ ଆବଶ୍ୟକୀୟ ଭିତିଭୂମି ସହ ଧାନର ମାନ ପରୀକ୍ଷା ପାଇଁ ଅସ୍ଥାୟୀ କ୍ୱାଲିଟି ଆନାଲିଷ୍ଟ ଓ ଯନ୍ତ୍ରପାତିର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ତୃଣମୂଳ ସ୍ତରରେ ଧାନର ମାନ ଓ କ୍ରୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମସ୍ତ ୪୫ଟି ସମବାୟ ସମିତିରେ ବିଡିଓମାନଙ୍କ ଦ୍ୱାରା ସୋସାଇଟି ସ୍ତରୀୟ କ୍ରୟ କମିଟି ଗଠନ କରାଯିବ। ଧାନ ବିକ୍ରୟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପାରଦର୍ଶୀ କରିବା ପାଇଁ ପି-ପିଏଏସ୍ ମାଧ୍ୟମରେ ଚାଷୀମାନଙ୍କୁ ଆଗୁଆ ଟୋକନ୍ ଏସଏମଏସ୍ ପଠାଯିବ ଏବଂ କେବଳ ଆଇରିସ୍ ସ୍କାନର ଜରିଆରେ ଆଧାର ପ୍ରମାଣି କରଣ ପରେ ହିଁ ଧାନ କିଣାଯିବ। ବିକ୍ରୟ ମୂଲ୍ୟ ସିଧାସଳଖ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ଏନପିସିଆଇ ପ୍ଲାଟଫର୍ମ ମାଧ୍ୟମରେ ପଠାଯିବ। ଯଦି କୌଣସି ଚାଷୀ ଧାର୍ଯ୍ୟ ତାରିଖରେ ଧାନ ବିକ୍ରି କରିନପାରନ୍ତି, ତେବେ ପ୍ରତି ୭ ଦିନରେ ଥରେ ସ୍ମାରକପତ୍ର ଏସଏମଏସ୍ ପଠାଯିବ ଏବଂ କୌଣସି ଟୋକନ୍ ଯେପରି ବାତିଲ ନହୁଏ ସେଥିପାଇଁ ଜିଲ୍ଲାପାଳଙ୍କ ସ୍ତରରେ ଟୋକନର ବୈଧତାକୁ ଅତିରିକ୍ତ ୧୫ ଦିନ ପର?୍ୟ୍ୟନ୍ତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଚାଷୀମାନଙ୍କୁ ଏକାଥରକେ ଟୋକନ୍ ପ୍ରଦାନ କରାଯିବା ସହ ଜିଲ୍ଲାର ୪୮ ଜଣ କଷ୍ଟମ୍ ମିଲର୍ସଙ୍କ ମଧ୍ୟରେ ଧାନ ଉଠାଣର ସନ୍ତୁଳନ ରକ୍ଷା କରାଯିବ। ମଣ୍ଡିରେ କୌଣସି ପ୍ରକାର କଟନୀ-ଛଟନୀ' ବା ଚାଷୀଙ୍କ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ଏବଂ ଏପରି ଅଭିଯୋଗ ଆସିଲେ ପ୍ରଶାସନ ପକ୍ଷରୁ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ଚାଷୀମାନଙ୍କ ସୁବିଧା ତଥା ଆବେଦନକୁ ଦୃଷ୍ଟିରେ ରଖି ଚଳିତ ଖରିଫ୍ ଋତୁ ପାଇଁ କେତେକ ଧାନ କ୍ରୟ କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ଓ ପରିବର୍ତନ କରାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଚାଷୀ ଭାଇଭଉଣୀ, ମିଲର୍ସ ଏବଂ ବିଭାଗୀୟ ଅଧିକାରୀମାନେ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ