
ଭୁବନେଶ୍ୱର, 22 ନଭେମ୍ବର (ହି.ସ.)- ୪୫ତମ ଇଣ୍ଡିଆ
ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନ୍କୁ ଦର୍ଶକଙ୍କ
ଅଭୂତପୂର୍ବ ଆଗ୍ରହ ଓ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି। ଏଠାରେ ପ୍ରଦର୍ଶିତ ବିଭିନ୍ନ ସ୍ୱଦେଶୀ
ଉତ୍ପାଦ, ମହିଳା
ଉଦ୍ୟୋଗୀଙ୍କ ଉଦ୍ୟମ ଏବଂ ପାରମ୍ପରିକ ଖାଦ୍ୟର ନୂତନତ୍ୱ ଦର୍ଶକଙ୍କୁ ବିଶେଷ ଭାବେ ଆକୃଷ୍ଟ
କରୁଛି।
ମିଶନ ଶକ୍ତି ସ୍ୱୟଂ ସହାୟକ
ଗୋଷ୍ଠୀଗୁଡ଼ିକର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ
ଓଡ଼ିଶାର ପୁଷ୍ଟିକର ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଏବଂ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ
ମୂଲ୍ୟବର୍ଦ୍ଧିତ ଉତ୍ପାଦ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି। ଏଠାରେ ପ୍ରଦର୍ଶିତ ସାମଗ୍ରୀଗୁଡ଼ିକର
ଉତ୍କୃଷ୍ଟ ଗୁଣବତ୍ତା, ବିବିଧତା ଓ ମୌଳିକତାକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ସେମାନଙ୍କ ଉତ୍ସାହପୂର୍ଣ୍ଣ ମତାମତରୁ ଏହା ସ୍ପଷ୍ଟ ହୋଇଛି।
ଓଡ଼ିଶା ପାଭିଲିୟନ୍କୁ
ଏପର୍ଯ୍ୟନ୍ତ ୧ ଲକ୍ଷ ୧୫ ହଜାରରୁ ଅଧିକ ଦର୍ଶକ ପରିଦର୍ଶନ କରିଥିବା ବେଳେ ମୋଟ ବିକ୍ରି ପରିମାଣ
୪୦ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଏହା ଓଡ଼ିଶାର ଉତ୍ପାଦ ଏବଂ ଉଦ୍ୟୋଗୀମାନଙ୍କ ପଦକ୍ଷେପ ପ୍ରତି
ବଜାରରେ ବଢ଼ୁଥିବା ଚାହିଦା ଓ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା