
ବଡ଼ଦେଉଳ ସାହି ମୌଜାରେ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍ର ରେକର୍ଡ ଅଫ୍
ରାଇଟ୍ସ
୧୯୯୭ ମସିହାରୁ ବିଚାରାଧୀନ
ଥିବା ଆବେଟମେଣ୍ଟ ମାମଲାର ଫଇସଲା ; ୦.୧୧୫ ଏକର ଜମିର ମାଲିକାନା ବ୍ୟକ୍ତିବିଶେଷଙ୍କ ନାମରୁ ମହାପ୍ରଭୁଙ୍କ
ନାମକୁ ସଂଶୋଧିତ
ଭୁବନେଶ୍ୱର, ନଭେମ୍ବର
୨୨(ହି.ସ) ପୁରୀ ତହସିଲ ଅନ୍ତର୍ଗତ ବଡ଼ଦେଉଳ ସାହି
ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ
ପଦକ୍ଷେପ ସ୍ୱରୂପ, ୧୯୯୭ ମସିହାରୁ ବିଚାରାଧୀନ ଥିବା ଏକ ଆବେଟମେଣ୍ଟମାମଲାର
ନିଷ୍ପତ୍ତି କରାଯାଇ ଜମିର ରେକର୍ଡ ଅଫ୍ ରାଇଟ୍ସସଂଶୋଧନ କରାଯାଇଛି।
ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡଭୁକ୍ତ ଥିବା ମୋଟ ୦.୧୧୫ ଏକର ଜମିର ମାଲିକାନା
ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଶ୍ରୀକ୍ଷେତ୍ର ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ପୁରୀ
ନାମରେ ସଂଶୋଧିତ ହୋଇଛି। ଏହି ପ୍ରକ୍ରିୟାରେ ମୋଟ ୧୯ଟି ଖାତା ଅନ୍ତର୍ଗତ ୨୯ଟି ପ୍ଲଟ୍ର ରେକର୍ଡ
ସଂଶୋଧନ କରାଯାଇଛି। ଫଳରେ ଏହି ସମସ୍ତ ଜମିର ମାଲିକାନା ଆଉ କୌଣସି ବ୍ୟକ୍ତିବିଶେଷଙ୍କ ନାମରେ ନ
ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ହୋଇଛି। ପ୍ରକାଶ ଥାଉକି ଶ୍ରୀକ୍ଷେତ୍ରରେ
କେବଳ ଶ୍ରୀମନ୍ଦିର ପାଇଁ “ବଡଦେଉଳ ସାହି” ନାମରେ ଏକ ମୌଜା ରହିଅଛି, ଯାହାକି
ସମଗ୍ର ରାଜସ୍ବ ପ୍ରଶାସନରେ ଅନନ୍ଯ।
ପ୍ରକାଶ ଥାଉ କି, ରାଜସ୍ୱ
ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍ ଆରମ୍ଭ ହେବା ପରେ ମହାପ୍ରଭୁଙ୍କ
ଭୂସମ୍ପତ୍ତିର ଚିହ୍ନଟ, ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ଗତିଶୀଳ କରାଯାଇଛି। ଏହି
ପଦକ୍ଷେପ ଫଳରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଜମିର ଅବୈଧ ଜବରଦଖଲ ହଟାଇବା ସହ ଜମିର ରେକର୍ଡ
ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବା ଦିଗରେ ଉଲ୍ଲେଖନୀୟ ସଫଳତା ମିଳୁଛି।
ରାଜସ୍ୱ ଓ ବିପର୍ଯ୍ୟୟ
ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦିଗଦର୍ଶନ ତଥା ବିଭାଗୀୟ ଅତିରିକ୍ତ
ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିରନ୍ତର
ଉଦ୍ୟମ ମାଧ୍ୟମରେ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ
ପୁନରୁଦ୍ଧାର ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଏହି ପ୍ରୟାସ ଜାରି ରହିଛି। ଏହା ମହାପ୍ରଭୁଙ୍କ
ଅମୂଲ୍ୟ ଭୂସମ୍ପତ୍ତିର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସାଧାରଣରେ ମତ
ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ,
ଡ. ପାଢ଼ୀ ମହାପ୍ରଭୁଙ୍କ ଭୂ- ସମ୍ପତ୍ତି ସୁରକ୍ଷାରେ ସହାୟତା
କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ଯବାଦ ଦେବା ସହ ସମସ୍ତଙ୍କ ପାଇଁ ଶ୍ରୀ ଜଗନ୍ନାଥ
ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା