
ଭୁବନେଶ୍ୱର, ୨୨ ନଭେମ୍ବର
(ହି.ସ.) – ରବିବାର ସକାଳେ ଘନ କୁହୁଡ଼ିର ଚାଦରରେ ଢାଙ୍କି ହୋଇଯାଇଥିଲା ଭୁବନେଶ୍ୱର ଓ କଟକ
ସମେତ ପୁରୀ, ଖୋର୍ଦ୍ଧା ଏବଂ ରାଜ୍ୟର ଅନ୍ୟ କେତେକ ଅଞ୍ଚଳ। ଘନ
କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ସହ ଯାତାୟାତ ପ୍ରଭାବିତ ହୋଇଥିଲା।
ଭୁବନେଶ୍ୱରରେ ଦୃଶ୍ୟମାନ ଦୂରତା ଖସି ଆସିଥିଲା। ହଠାତ୍ ପାଣିପାଗରେ ପରିବର୍ତ୍ତନ
ଯୋଗୁଁ ସକାଳୁ ସହରର ବିଭିନ୍ନ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥିଲା। ଫଳରେ ଯାନବାହନ
ଚଳାଚଳ ଏବଂ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଦେଇଥିଲା।
ସେହିପରି କଟକ, ଖୋର୍ଦ୍ଧା ଓ
ପୁରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୁରୀରେ ଘନ କୁହୁଡ଼ି ଯୋଗୁଁ ଶ୍ରୀମନ୍ଦିର
ମଧ୍ୟ ଠିକ୍ ଭାବେ ଦୃଶ୍ୟମାନ ହେଉନଥିଲା।
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ
ରବିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର
କୁହୁଡ଼ି ହେବା ନେଇ ପୂର୍ବାନୁମାନ କରାଯାଇଥିଲା। ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଓ
କୋରାପୁଟ ଜିଲ୍ଲା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଥିଲା।
ବିଶେଷ କରି ସକାଳୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ
କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ
ଦୃଶ୍ୟମାନ ଦୂରତା କମ୍ ରହୁଥିବାରୁ ଯାନବାହନ ଚାଳକମାନେ ସତର୍କତାର ସହ ଗାଡ଼ି ଚଳାଇବାକୁ
କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା