ବାବୁଛିପିଡିହି ପଞ୍ଚାୟତରେ ମୌଳିକ ସୁବିଧା ଠପ୍
Basic Amenities at Babuchhipidihi Panchayat in Disarray
ବାବୁଛିପିଡିହି ପଞ୍ଚାୟତରେ ମୌଳିକ ସୁବିଧା ଠପ୍


ଶୌଚାଳୟରେ ବସ୍ତା ଗଦା, ୱାଇଫାଇ ଅଭାବରୁ ରାସନ ହିତାଧିକାରୀ ହନ୍ତସନ୍ତ

ଝାରସୁଗୁଡା, ୨୩ ନଭେମ୍ବର (ହି.ସ.) : ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳ ସ୍ତରରେ ମୌଳିକ ସୁବିଧାର ଅଭାବ ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି ଲଇକେରା ବ୍ଲକ୍ ଅନ୍ତର୍ଗତ ବାବୁଛିପିଡିହି ପଞ୍ଚାୟତ। ଏଠାରେ ଜନସାଧାରଣଙ୍କ ବ୍ୟବହାର ପାଇଁ ନିର୍ମିତ ସାର୍ବଜନୀନ ଶୌଚାଳୟ ଏବେ ବସ୍ତା ଓ ଅଖା ରଖିବାର ଗୋଦାମ ପାଲଟିଥିବା ବେଳେ ୱାଇଫାଇ ସୁବିଧା ନଥିବାରୁ ରାସନ ହିତାଧିକାରୀ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି।

ଲଇକେରା, କୋଲାବିରା ଓ କିର୍ମିରା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଯାଇଛି। ପରିଷଦର ଅଭିଯୋଗ ଅନୁଯାୟୀ, ପଞ୍ଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ମହିଳାମାନଙ୍କ ପାଇଁ ଶୌଚାଳୟର ସୁବିଧା ନାହିଁ। ସରକାରୀ ଅର୍ଥରେ ନିର୍ମିତ ଶୌଚାଳୟ ଭିତରେ ସିମେଣ୍ଟ ବସ୍ତା ଓ ଅଖା ଗଦା ହୋଇ ରହିଥିବାରୁ ତାହା ଲୋକଙ୍କ କାମରେ ଆସୁନାହିଁ।

ସୂଚନା ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ କମିସନ ଅନୁଦାନରେ ଏହି ଶୌଚାଳୟର ମରାମତି ଓ ରକ୍ଷଣାବେକ୍ଷଣ କରାଯାଇଥିଲା। ତେବେ କାର୍ଯ୍ୟସ୍ଥଳରେ ଲାଗିଥିବା ସୂଚନା ଫଳକରେ କାର୍ଯ୍ୟର ନାମ ଓ ଅଟକଳ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ପଞ୍ଚାୟତରେ ୱାଇଫାଇ ସୁବିଧା ନଥିବାରୁ ରାସନ ବଣ୍ଟନ ସମୟରେ ମୋବାଇଲ୍ ହଟ୍ସ୍ପଟ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ନେଟୱର୍କ ସମସ୍ୟା ଯୋଗୁଁ ଇ-ପଏସ୍ ମାଧ୍ୟମରେ ରାସନ ବଣ୍ଟନରେ ବିଳମ୍ବ ହେଉଛି। ଫଳରେ ଶହ ଶହ ହିତାଧିକାରୀ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ହଇରାଣ ହେଉଛନ୍ତି।

ସରକାର ଗୋଟିଏ ପଟେ ସ୍ୱଚ୍ଛ ଭାରତ ମିଶନ ଓ ଡିଜିଟାଲ୍ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟପଟେ ପଞ୍ଚାୟତ ସ୍ତରରେ ଏଭଳି ଅବ୍ୟବସ୍ଥା ରହିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଘଟଣାର ତଦନ୍ତ କରିବା ସହ ଶୌଚାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ପଞ୍ଚାୟତରେ ୱାଇଫାଇ ସୁବିଧା ଯୋଗାଇଦେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି।

ଏ ସମ୍ପର୍କରେ ସରପଞ୍ଚ ମନୋଜ ବୁଦୁଲା କହିଛନ୍ତି, ଶୌଚାଳୟଟି ପୂର୍ବରୁ ଅଚଳ ହୋଇପଡ଼ିଥିଲା। କେହି ଏହା ଭିତରେ ବସ୍ତା ରଖିଦେଇଥିବେ। ଖୁବଶୀଘ୍ର ସେଗୁଡ଼ିକୁ ବାହାର କରି ଶୌଚାଳୟକୁ ବ୍ୟବହାର ଉପଯୋଗୀ କରାଯିବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande