
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ବରିଷ୍ଠ ସମାଜସେବୀ ଶିଳ୍ପପତି ହେମେନ୍ଦ୍ର ସାହୁଙ୍କର ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ଅସୁରାଳି ଗଣେଶ ନଗରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଅସୁରାଳି ସମେତ ସମଗ୍ର ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଅସୁରାଳି ଅଂଚଳରେ ଶିକ୍ଷାର ପ୍ରସାର ଓ ଉନ୍ନତି ସହିତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଅସୁରାଳି ଆଇଟିଆଇ,ଆଂଚଳିକ ମହିଳା ମହାବିଦ୍ୟାଳୟ,ଡିଭାଇନ ପବ୍ଲିକ ସ୍କୁଲ,ନର୍ସିଂ ସ୍କୁଲ ଆଦି ପ୍ରତିଷ୍ଠା କରିବା ସହ ଶକ୍ତିପୀଠ ବରୁଣାଇ ମନ୍ଦିର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ମଧ୍ୟ ଥିଲା। ସାଧାରଣ ଲୋକଙ୍କ ଦୁଃଖ ଓ ଅସୁବିଧାରେ ସେ ସବୁବେଳେ ସହଯୋଗର ହାତ ବଢ଼ାଉଥିଲେ। ଚିକିତ୍ସା ପାଇଁ ଆର୍ôଥକ ସହାୟତା ହେଉ ଅବା ଅସହାୟ ପରିବାରର ଝିଅ ବିବାହ, ଅନେକ ଲୋକଙ୍କ ପାଇଁ ବିପଦର ବନ୍ଧୁ ଥିଲେ।ପ୍ରଚାର ପ୍ରସାର ଠାରୁ ଦୂରେଇ ରହି ସାଧାରଣ ଜୀବନଚର୍ଯାକୁ ପସନ୍ଦ କରୁଥିବା ହେମେନ୍ଦ୍ର ସ୍ଥାନୀୟ ଲୋକଙ୍କ ମଧ୍ୟରେ ହେମ ଭାଇ ନାଁରେ ପରିଚିତ ଥିଲେ।ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ଖବରପାଇ ଶହ ଶହ ଲୋକଙ୍କ ସମେତ ବହୁ ରାଜନେତା ଶିକ୍ଷାବିତ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସାହିତ୍ୟିକ ତାଙ୍କ ଶେଷ ଦର୍ଶନ କରିଛନ୍ତି।ମଙ୍ଗଳବାର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେବ ବୋଲି ଏକମାତ୍ର ପୁତ୍ର ଇଂ ସନ୍ତୋଷ କୁମାର ସାହୁ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ