

ସମ୍ବଲପୁର, ୨୩, ନଭେମ୍ବର (ହି.ସ.) ସମ୍ବଲପୁର ସହରାଞ୍ଚଳର ବିକାଶରେ ସରକାରଙ୍କ ପକ୍ଷରୁ ଗମନାଗମନକୁ ଅଗ୍ରାଧିକାର ଦିଆଯାଉଥିଲେ ମଧ୍ୟ ରାସ୍ତାଘାଟ ପ୍ରଶସ୍ଥି କରଣ ନଥିବାରୁ ଏହି ଅଭିଯାନ ବାଟବଣା ହେଉଛି । ଗୋଲବଜାର ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସଦା ସର୍ବଦା ଚଳଚଞ୍ଚଳ ରହୁଥିବା ବେଳେ ଏହି ରାସ୍ତାରେ ସରକାରଙ୍କ ଆମ ବସ୍ ସେବା ମଧ୍ୟ ଚାଲିଛି । ଆଜି ଏହି ରାସ୍ତା ପାର୍ଶ୍ୱରେ ଥିବା ଏଚଡିଏଫସି ସମ୍ମୁଖ ରାସ୍ତାରେ ଜନୈକ ବ୍ୟକ୍ତି ନିଜର ବହୁ ଜରୁରୀ କାର୍ଯ୍ଯ ପାଇଁ ନିଜର ଓଡି ୧୫ ଏସି ୦୫୭୨ କାରକୁ ପାର୍କିଂ କରି ଦୀର୍ଘ ସମୟ ଧରି କେଉଁଆଡେ ଚାଲି ଯାଇଥିଲେ । ରାସ୍ତା ସଙ୍କୀର୍ଣ୍ଣକୁ ରାସ୍ତା ପାର୍ଶ୍ୱରେ ବେଆଇନ କାର ପାର୍କିଂ ଯୋଗୁଁ ଏକ ଅଚଳାବସ୍ଥା ସୃଷ୍ଟି କରିଥିଲା । ସରକାରଙ୍କ ଆମ ବସ୍ ସେବା ବାଧାପ୍ରାପ୍ତ ହେବା ସହ ବହୁ ସଂଖ୍ୟାରେ ଯାନବାହାନ ରାସ୍ତାକୁ ଦୀର୍ଘ ସମୟ ଧରି ଏକ ରକମର ଜାମ କରି ଦେଇଥିଲା । ଟ୍ରାଫିକ୍ ଜାମ୍ ର ସମାଧାନ ପାଇଁ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ବେଆଇନ ପାର୍କିଂ ଗାଡ଼ି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଥିଲା । ମାତ୍ର ପୋଲିସର ଏହି କାର୍ଯ୍ୟାନୁଷ୍ଠାନ କଣ ଏହାର ପ୍ରକୃତ ସମାଧାନ ? ସହରରେ ଦ୍ରୃତ ଗତିରେ ଜନସଂଖ୍ୟା ବଢିବା ସହ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ପ୍ରଶାସନ ଅଦ୍ୟାବଧି କୌଣସି ସ୍ଥାନରେ ଆବଶ୍ୟକୀୟ ପାର୍କିଂ ସୁବିଧା ଯୋଗାଇ ପାରିନାହିଁ ଏଥିସହ କୌଣସି ରାସ୍ତାଘାଟର ପ୍ରଶସ୍ତିକରଣ ମଧ୍ୟ କରି ପାରିନାହିଁ । ମାତ୍ର ଯେତେବେଳେ ଯେଉଁଠି ବେଆଇନ ପାର୍କିଂ ପାଇଁ ରାସ୍ତା ଅବରୋଧ ହେଲା ତୁରନ୍ତ ପୋଲିସ ସେଠାରେ ପହଞ୍ଚି ଜରିମାନା କାଟି ଏହାର ସମାଧାନ କରିବା ପ୍ରଶାସନିକ ଆଭିମୁଖ୍ୟକୁ ସାଧାରଣରେ ଲୋକେ ପ୍ରହସନ କହୁଥିବା ଶୁଣିବାକୁ ମିଳୁଛି । ସମ୍ବଲପୁର ସହରର ସର୍ବାଙ୍ଗିନ ଉନ୍ନତି ଓ ବିକାଶ ପଥରେ ସାମିଲ କରାଇ ଏହାକୁ ସମୃଦ୍ଧ କରିବାକୁ ହେଲେ ପ୍ରଥମେ ସହରାଞ୍ଚଳର ସମସ୍ତ ରାସ୍ତାଘାଟକୁ ପ୍ରଶସ୍ତିକରଣର ଆବଶ୍ୟକ ବୋଲି ବହୁ ବରିଷ୍ଠ ନାଗରିକ ମତବ୍ୟକ୍ତ କରିଛନ୍ତି । ସମ୍ବଲପୁର ସହରରେ ବେଆଇନ ପାର୍କିଂ ପାଇଁ ରାସ୍ତା ଅବରୋଧ ଏକ ସାଧାରଣ ଘଟଣା ବୋଲି ଲୋକେ କହୁଥିବା ବେଳେ ଆଜିର ରାସ୍ତା ଅବରୋଧ ଘଟଣା ଓ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବେଶ୍ ଚର୍ଚ୍ଚା ଧରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ