
ଭଦ୍ରକ, ୨୩ ନଭେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ କଳାକାର ସାଂସ୍କୃତିକ ଦଳ ପରିଚାଳନା କ୍ଷେତ୍ରରେ ଭଦ୍ରକ ଜିଲାସ୍ତରୀୟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୧୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ସଂସ୍କୃତି ଭବନରେ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ଯେଉଁ ଦଳ ଶ୍ରେଷ୍ଠ ବିବେଚିତ ହେବ, ସେମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ଚୟନ ପ୍ରକ୍ରିୟାରେ ନୃତ୍ୟରେ ସମ୍ବଲପୁରୀ, ଓଡ଼ିଶାୀ ପାଇଁ ୪୯ ଟି ଦଳ ପଞ୍ଜିକରଣ କରିଥିବାବେଳେ ଲୋକକଳାରେ ୧୩ଟି ଦଳ, ସଂଗୀତରେ ୩୮ ଟି, ନାଟକରେ ୧୬ ଟି ଦଳ ପଂଜିକୃତ କରିଛନ୍ତି। ସଂଗୀତରେ ବିଶେଷକରି ସୁଗମ ସଂଗୀତ, ଶାସ୍ତ୍ରୀୟ ସଂଗୀତ ଓ ଭଜନ ରହିଥିବାବେଳେ ନାଟକରେ ସାମାଜିକ ନାଟକ, ଗୀତି ନାଟକ ଓ ମୋଗଲ ତାମସା ରହିଛି। ଲୋକକଳାରେ ସଂକୀର୍ତନ, ଦାସକାଠିଆ, ଚଢେୟା ଚଢେୟାଣୀ, ଘୋଡାନାଚ, ପାଲା, କୀର୍ତନ, ଏକତାରା ଭଜନ ରହିଛି। ଏହି ଚୟନ ପ୍ରକ୍ରିୟାରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୨୮୦ଟି ଦଳ ଅଂଶଗ୍ରହଣ କରି ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଜିଲାସ୍ତରୀୟ ଏହି ଅଡିସନର ନୃତ୍ୟ ବିଭାଗରେ ସୁଧାଂଶୁ ରଞ୍ଜନ ପୁହାଣ, ଉଜ୍ଜ୍ୱଳ କୁମାର ନାୟକ, ଅଜିତାନନ୍ଦ ଦେବଗୋସ୍ୱାମୀ, ସଂଗୀତରେ ମହେନ୍ଦ୍ରନାଥ ମହାପାତ୍ର, ରଞ୍ଜିତ କୁମାର ମହାପାତ୍ର ଓ ମନୋରଞ୍ଜନ ପଣ୍ଡା ବିଚାରକ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ନାଟକରେ ଲଲାଟେନ୍ଦୁ ମହାନ୍ତି, ପ୍ରଫେସର ଡ. ଅଟଳ ବିହାରୀ ନାୟକ, ନିର୍ମଳ ରାଉତ ରହିଥିବାବେଳେ ଲୋକକଳାରେ ଡ. ରାଜକିଶୋର ନାୟକ, ରବିନ୍ଦ୍ର ବେହୁରିଆ, ରବିନ୍ଦ୍ର କୁମାର ବାରିକ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ