
ଭୁବନେଶ୍ୱର, 23
ନଭେମ୍ବର (ହି.ସ.) ବିଧାନସଭା ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ
ଓ ମନ୍ତ୍ରୀମାନଙ୍କ ଅନୁପସ୍ଥିତିକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି
ବିଜେଡି ବିଧାୟକ ଗଣେଶ୍ୱର ବେହେରା। ସରକାର ଉତ୍ସବ ଓ ଉତ୍ସବ ବିଳାସରେ ମାତିଥିବାବେଳେ ଲୋକଙ୍କ
ଦୁଃଖ ବୁଝିବାକୁ ସମୟ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ବିଧାନସଭା ଚାଲିଥିବା ସମୟରେ
ଗୃହରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଅନୁପସ୍ଥିତ ରହିବା ଗୃହର ପ୍ରଥମ
ଧାଡ଼ିକୁ ଦେଖିଲେ ସ୍ପଷ୍ଟ ହେଉଛି ବୋଲି ଗଣେଶ୍ୱର କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ବିଦେଶ
ଗସ୍ତରେ ଥିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି,
ବିଧାନସଭା ଚାଲୁଥିବା ସମୟରେ ବିଦେଶ ଗସ୍ତ ପାଇଁ ବାଚସ୍ପତିଙ୍କ
ଅନୁମତି ନିଆଯାଇଛି କି ନାହିଁ, ତାହା ସେ ଜାଣିନାହାନ୍ତି। ଯଦି ଅନୁମତି ଦିଆଯାଇଛି, ତେବେ
ତାହା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି।
ରାଜ୍ୟ ବିପର୍ଯ୍ୟୟର
ସମ୍ମୁଖୀନ ହେଉଥିବାବେଳେ ସରକାର ଲୋକଙ୍କ ସହ ରହିବା ଆବଶ୍ୟକ। ଲୋକଙ୍କ ସରକାର ବୋଲି କହୁଥିବା
ସରକାର ଲୋକଙ୍କ ସହ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ବିଭାଗର
କର୍ମଚାରୀମାନେ ରାଜରାସ୍ତାରେ ନିଜ ହକ୍ ଦାବି କରି ଆନ୍ଦୋଳନ କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ
ବିଦେଶ ଗସ୍ତରେ ରହିବାକୁ ନେଇ ମଧ୍ୟ ଗଣେଶ୍ୱର ପ୍ରଶ୍ନ ଉଠାଇଛନ୍ତି। ବିଧାନସଭା ଚାଲୁଥିବା ସମୟରେ
ଗୃହରୁ ଦୂରେଇ ରହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା