
ଗ୍ରାମାଞ୍ଚଳରେ ଟାୱାର
ପ୍ରତିଷ୍ଠା ପାଇଁ ପଦକ୍ଷେପ, ୩ ବର୍ଷରେ ସବୁ ଗାଁକୁ ଇଣ୍ଟରନେଟ୍ ପହଞ୍ଚାଇବା ଲକ୍ଷ୍ୟ
ଭୁବନେଶ୍ୱର, ୨୩
ନଭେମ୍ବର (ହି.ସ.) : ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ନେଟୱାର୍କ ସଂଯୋଗ ଯୋଗାଇବା ପାଇଁ ସରକାର
ପଦକ୍ଷେପ ନେଉଛନ୍ତି। ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱାର୍କ ସୁବିଧା
ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏଥିପାଇଁ ମୋବାଇଲ ଟାୱାର ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ପଦକ୍ଷେପ
ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ
ମହାଲିଙ୍ଗ।
ଏହା ସହ ଆସନ୍ତା ୩ ବର୍ଷ
ମଧ୍ୟରେ ରାଜ୍ୟର ସମସ୍ତ ଗାଁକୁ ଇଣ୍ଟରନେଟ୍ ସଂଯୋଗ ଯୋଗାଇବା ପାଇଁ ଭାରତନେଟ୍ ଫେଜ୍-୩ ଯୋଜନାରେ
କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଟେଲିକମ୍ ବିଭାଗ ଏବଂ ରାଜ୍ୟ
ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ)
ସ୍ୱାକ୍ଷର ହୋଇଛି। ୨୦୨୬ ସେପ୍ଟେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି।
ଏହି ପ୍ରକଳ୍ପରେ ଆସନ୍ତା ୩
ବର୍ଷ ମଧ୍ୟରେ ୩,୩୮୪ କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର ସମସ୍ତ ଗାଁକୁ ଅପ୍ଟିକାଲ
ଫାଇବର ଏବଂ ଆଧୁନିକ ନେଟୱାର୍କ ବ୍ୟବସ୍ଥା ମାଧ୍ୟମରେ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଏହି
ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ଏଥିସହ ୩୧୪ଟି ବ୍ଲକ୍
କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ ବିକଶିତ କରାଯିବ। ଏହା
ମାଧ୍ୟମରେ ଗ୍ରାମାଞ୍ଚଳରେ ଡିଜିଟାଲ ସଂଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଡିଜିଟାଲ
ସେବାର ପ୍ରସାରକୁ ତ୍ୱରାନ୍ୱିତ କରାଯିବ।
ମୋବାଇଲ ନେଟୱାର୍କ ଓ
ଇଣ୍ଟରନେଟ୍ ସଂଯୋଗର ସମ୍ପ୍ରସାରଣ ଦ୍ୱାରା ଗ୍ରାମାଞ୍ଚଳରେ ଡିଜିଟାଲ ସେବା, ଅନଲାଇନ୍
ଶିକ୍ଷା, ସ୍ୱାସ୍ଥ୍ୟସେବା
ଏବଂ ସରକାରୀ ସେବା ପ୍ରଦାନ ବ୍ୟବସ୍ଥା ଅଧିକ ସୁଗମ ହେବା ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା