
କେନ୍ଦ୍ରାପଡା, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ଦ୍ଵାର ଉନ୍ମୁକ୍ତ ହୋଇ ଜୟ ମଙ୍ଗଳା ଆଳତି କରାଯିବା ପରେ ନୀତି ସ୍ନାନ ବଲ୍ଲଭ ହୋଇ ସାହାଣ ମେଲା କରାଯାଇଥିଲା । ଭକ୍ତମାନେ ଭୋଗ ମଣ୍ଡପ ଗର୍ଭଗୃହ ପର୍ଯ୍ୟନ୍ତ ଯାଇ ଦର୍ଶନ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଦିନ ବାରଟା ସମୟରେ ଶ୍ରୀ ଜୀଉଙ୍କର ସକାଳ ଧୂପ ସମ୍ପନ୍ନ ହୋଇଥିଲା । ସେବାୟତ ମାନଙ୍କ ତରଫରୁ ପାଖା ପାଖି ପନ୍ଦର କ୍ଵିଣ୍ଟାଲ ଚାଉଳରେ ପ୍ରସ୍ତୁତ ଦହି ପଖାଳ ଭୋଗ ଲାଗି କରଯାଇଥିଲା । ଉକ୍ତ ଭୋଗକୁ ଭକ୍ତମାନେ କ୍ରୟକରି ବେଢ଼ା ମଧ୍ୟରେ ସେବନ କରିବା ସହ ଗୃହକୁ ନେଇଥିଲେ । ପରେ ଦ୍ୱିପହର ଧୂପସମ୍ପନ୍ନ ପରେ ପହୁଡ଼ ନୀତି ହୋଇଥିଲା । ସନ୍ଧ୍ୟା ସମୟରେ ପୂଜାପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କର ଆକର୍ଷଣୀୟ ପଦ୍ମ ବେଶ ହୋଇଥିଲା । ପରେ ଚଳନ୍ତି ପ୍ରତିମା ବେଢ଼ା ବାହାରେ ପ୍ରସ୍ତୁତ ହୋଇଥିବା ଫୁଲ ରଥକୁ ବିଜେ କରିଥିଲେ । ଏହି ବେଶ ଏବଂ ଫୁଲ ରଥରେ ବିଜେ ପ୍ରତିମା ଦର୍ଶନ ନିମନ୍ତେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ଆଜି ପୂର୍ଣ୍ଣିମା ଥିବାରୁ ହବିଶ ବ୍ରତଧାରୀ ଶେଷ ଦାମୋଦର ପୂଜା କରିଥିଲେ । ପରେ ରାତ୍ର ଏଗାରଟା ସମୟରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇ ଧୂପ ବଡସିଂହାର ନୀତି ହୋଇଥିଲା । ଫୁଲ ରଥରେ ଥିବା ବିଜେ ପ୍ରତିମା ରାତ୍ର ବାରଟା ସମୟରେ ମନ୍ଦିରକୁ ବିଜେ ହୋଇ ପହୁଡ଼ ନୀତି ସମ୍ପନ୍ନ ହୋଇଥିବା ପ୍ରଶାସନିକ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ