ଭୁବନ ବାଲି ଯାତ୍ରାରେ ୫୦ ହଜାର ଜନ ସମାବେଶ
ଭୁବନ, ୨୪ ନଭେମ୍ବର (ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ
ଭୁବନ ବାଲି ଯାତ୍ରାରେ ୫୦ ହଜାର ଜନ ସମାବେଶ


ଭୁବନ, ୨୪ ନଭେମ୍ବର (ହି.ସ.) - ଢ଼େଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ପ୍ରସିଦ୍ଧ ବାଲିଯାତ୍ରା ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀରେ କାର୍ତିକ ବୁଡ ପକାଇ ଡଙ୍ଗା ଭସାଇ ବାବା ବୁଦ୍ଧେଶ୍ୱର ଙ୍କୁ ଦର୍ଶନ କରିଥିଲେ । ମାସକ ଯାକ ହବିଷ ପାଳନ କରୁଥିବା ମହିଳା ମାନେ ରାଇ ଦାମୋଦର ( ରାଧା ଗୋବିନ୍ଦ ) ଙ୍କ ପୂଜା ବିଭିନ୍ନ ଢଙ୍ଗ ରେ କରି ବ୍ରତ ସମାପନ କରିଥିଲେ । ବଡ଼ି ଭୋର୍ ରୁ ଅପରାହ୍ନ ପର୍ଯ୍ୟନ୍ତ ମନ୍ଦିର ରେ ପ୍ରବଳ ଭିଡ ହୋଇଥିଲା । ଭକ୍ତ ମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିଥିଲେ। ତୈଳିକ ବୈଶ୍ୟ ସମାଜ ତରଫରୁ ଆକର୍ଷଣୀୟ ୨୪ ତମ ବାର୍ଷିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ରେ ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବ କାଳରେ ଆଜିର ଦିନରେ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ଜାଭା,ବୋର୍ଣିଓ,ସୁମାତ୍ରା ପ୍ରଭୃତି ଅଂଚଳକୁ ଯାଉଥିବାରୁ ସାଧବ ବେଶରେ ସଜ୍ଜିତ ସାଧବ ପୁଅ ମାନଙ୍କ ଶୁଭ ମନାସି ବନ୍ଦାପନା କରି ସଙ୍କୀର୍ତନ ଜରିଆରେ ବୁଦ୍ଧେଶ୍ୱର ମନ୍ଦିର କୁ ପାଛୋଟି ଆଣିଥିଲେ । ଆର୍ଯ୍ୟ ସମାଜ ତରଫରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହାଯଜ୍ଞ ଆଜି ଅପରାହ୍ନ ରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଲୋକମାନେ ଦୋଳି, ମିନା ବଜାର ସାଙ୍ଗକୁ ପ୍ରସିଦ୍ଧ ବରା ଘୁଗୁନି,ଦହିବରା ଆଳୁଦମ୍,ଚାଟ, ଦୋସା, ଠୁଙ୍କାପୁରୀ,ଫାଷ୍ଟ ଫୁଡ୍ ଦୋକାନ, ମନୋହରୀ ଦୋକାନ,ଆଇସ କ୍ରିମ ପାର୍ଲର ରେ ମନ ଭରି ଖିଆ ପିଆ କରିବା ସହ ଡଲା ,କୁଲା, ଲୁହା ଲତା ଘରକରଣା ସାମଗ୍ରୀ ଓ ହାଟ ବଜାର ରେ ମିଳୁନଥିବା ବିଭିନ୍ନ ଜିନିସ କିଣାକିଣି କରିଥିଲେ । ଚଳିତ ବର୍ଷ ବାଲିଯାତ୍ରା ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଜନ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ପୁରୁଷୋତମପୁର ଶାସନ ରୁ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତି ଙ୍କୁ ଶୋଭାଯାତ୍ରାରେ ଅଣାଯାଇ ହରିହର ଭେଟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି,ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ଙ୍କ ସମେତ ଭୁବନ ଥାନା ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande