
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) - ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରର ଐତିହାସିକ ବିନ୍ଦୁସାଗରସ୍ଥିତ ଭୋଗଖିଆ ଘାଟଠାରେ ଦେବୟୁଗ ପରିବାର ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ବୋଇତ ବନ୍ଦାଣ, ପ୍ରସାଦ ସେବନ ଓ ଭଜନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ପ୍ରାୟ ୨୮୦୦ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ନିମନ୍ତେ ମହାପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଏଥିସହ ଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଥିଲା। ଓଡ଼ିଶାର ଗୌରବମୟ ସାଧବ ପରମ୍ପରା, ପ୍ରାଚୀନ ନୌବାଣିଜ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସ୍ମରଣ କରିବା ସହ ସେବା, ସମର୍ପଣ, ଭାଇଚାରା ଓ ସାମାଜିକ ଏକତାର ବାର୍ତା ପ୍ରସାର କରିବା ଏହି ଆୟୋଜନର ମୂଳ ଲକ୍ଷ୍ୟ ରହିଥିଲା।
ଏହି କାର୍ଯ୍ୟକ୍ରମରେ ଦେବୟୁଗ ପରିବାରର ଅଧ୍ୟକ୍ଷ ଦେବବ୍ରତ ନାୟକ, ସଭାପତି ଇଂ. ସ୍ମୃତି ସାମନ୍ତରାୟଙ୍କ ସମେତ ପରିବାରର ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା