ଚିଲିକାର ଐତିହ୍ୟ ସଂରକ୍ଷଣ ସହ ଓଡ଼ିଶାର ସାମୁଦ୍ରିକ ପରମ୍ପରାକୁ ଆଗେଇ ନେବାକୁ ରାଜ୍ୟପାଳଙ୍କ ଆହ୍ଵାନ
ଖୋର୍ଦ୍ଧା, ୨୪ ନଭେମ୍ବର (ହି.ସ.)- ଚିଲିକା କେବଳ ଏକ ପ୍ରାକୃତିକ ସମ୍ପଦ ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ବ୍ରଜମୋହନ ରା
Chilika


ଖୋର୍ଦ୍ଧା, ୨୪ ନଭେମ୍ବର (ହି.ସ.)- ଚିଲିକା କେବଳ ଏକ ପ୍ରାକୃତିକ ସମ୍ପଦ ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଦିଗରେ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ବ୍ରଜମୋହନ ରାମ କହିଛନ୍ତି।

ସୋମବାର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜ ପଡ଼ିଆରେ ଆୟୋଜିତ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ-୨୦୨୬ର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଏହି ମହୋତ୍ସବ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ସମୃଦ୍ଧ ପରମ୍ପରା ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟର ପ୍ରତୀକ। ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ପରମ୍ପରା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଓଡ଼ିଶାର ସାଧବମାନେ ନିଜର ସାହସ, ଦୂରଦୃଷ୍ଟି ଓ ଉଦ୍ୟମଶୀଳତା ବଳରେ ଦୂରଦୂରାନ୍ତ ଦେଶକୁ ସମୁଦ୍ରଯାତ୍ରା କରି ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଯାତ୍ରା କେବଳ ବାଣିଜ୍ୟ ମଧ୍ୟରେ ସୀମିତ ନଥିଲା, ବରଂ ଏହା ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ଜ୍ଞାନ ଓ ଜୀବନଧାରା ଅନ୍ୟ ଦେଶରେ ପ୍ରସାରିତ ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମାରେ ପାଳିତ ବୋଇତ ବନ୍ଦାଣ ପରମ୍ପରା ଆମର ସେହି ଗୌରବମୟ ଅତୀତକୁ ସ୍ମରଣ କରାଏ। ସାଧବମାନେ ଜାଭା, ବାଲି, ସୁମାତ୍ରା, ଶ୍ରୀଲଙ୍କା, ମିଆଁମାର ଆଦି ଦେଶକୁ ଯାତ୍ରା କରି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ଵ ଦରବାରରେ ପହଞ୍ଚାଇଥିଲେ। ସେମାନଙ୍କ ସାହସ, ଧୈର୍ଯ୍ୟ ଓ କର୍ମନିଷ୍ଠା ଆଜିର ପିଢ଼ି ପାଇଁ ମଧ୍ୟ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ।

ଚିଲିକା ଏସିଆର ସର୍ବବୃହତ ଲବଣାକ୍ତ ଜଳ ହ୍ରଦ ଏବଂ ଏକ ରାମସାର ମାନ୍ୟତାପ୍ରାପ୍ତ ଆର୍ଦ୍ରଭୂମି। ଏହାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶଗତ ମହତ୍ଵ ଅତୁଳନୀୟ। ଚିଲିକା ଅଞ୍ଚଳର ଅନେକ ଲୋକଙ୍କ ଜୀବିକା ଏହି ହ୍ରଦ ଉପରେ ନିର୍ଭରଶୀଳ। ଏଥିସହ ଓଡ଼ିଶାର ଆଧ୍ୟାତ୍ମିକ ପରମ୍ପରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମଧ୍ୟ ଚିଲିକାର ଗଭୀର ସମ୍ପର୍କ ରହିଛି ବୋଲି ରାଜ୍ୟପାଳ କହିଥିଲେ। ବୋଇତ ବନ୍ଦାଣର ଗୌରବମୟ ପରମ୍ପରାରୁ ପ୍ରେରଣା ନେଇ ଯୁବପିଢ଼ି ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ଉଦ୍ୟୋଗ, ସାମୁଦ୍ରିକ ବାଣିଜ୍ୟ, ପର୍ଯ୍ୟଟନ ଓ ପରିବେଶ ସଂରକ୍ଷଣ ଭଳି କ୍ଷେତ୍ରରେ ନୂଆ ସଫଳତା ହାସଲ କରିବାକୁ ସେ ଆହ୍ଵାନ ଦେଇଥିଲେ। ଯୁବପିଢ଼ିଙ୍କ ପ୍ରତିଭା ଓ ଉଦ୍ୟମ ସହ ପୂର୍ବପୁରୁଷଙ୍କ ଗୌରବମୟ ଐତିହ୍ୟର ସମନ୍ୱୟ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମହୋତ୍ସବର ସଫଳ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ, ଆୟୋଜକ କମିଟି, କଳାକାର, ସ୍ଵେଚ୍ଛାସେବୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବୋଇତ ବନ୍ଦାଣରେ ପ୍ରତିଫଳିତ ସାହସ, ଏକତା, ଭାଇଚାରା, ପ୍ରକୃତି ପ୍ରତି ସମ୍ମାନ ଓ ପ୍ରଗତିର ଭାବନା ସମାଜକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଥିଲେ।

ଏହି ଅବସରରେ ଚିଲିକାର ପୂର୍ବତନ ବିଧାୟକ ଡଃ. ବିଭୂତି ଭୂଷଣ ହରିଚନ୍ଦନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର ଓ ବିଶିଷ୍ଟ ସାହିତ୍ୟିକ ଡଃ. ବିଜୟାନନ୍ଦ ସିଂହ ମଧ୍ୟ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ଏସପି ପରମାର ସ୍ମିତ ପର୍ଶୋତ୍ତମଦାସ ଓ ବାଲୁଗାଁ ଏନ୍ଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande