ମହାଦେବ ବେଟିଂ ଆପ୍ ମାମଲା: ନଭେମ୍ବର ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଦିଲ୍ଲୀର ଆଇନଜୀବୀ ହିମାଂଶୁ ଶେଖର
ରାୟପୁର, ୨୪ ନଭେମ୍ବର (ହି.ସ.)। ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀର ଆଇନଜୀବୀ ହିମାଂଶୁ ଶେଖର ଓରଫ ମୋହିତଙ୍କୁ ଗିରଫ କରିଛି। ରାୟପୁରର ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତ ଏହି ହାଇପ୍ରୋଫାଇଲ୍ ମାମଲାରେ ପ୍ରଥମ ଥର ପାଇଁ
दिल्ली का अधिवक्ता  हिमांशु शेखर रायपुर की अदालत में आधी रात हुआ पेश


ରାୟପୁର, ୨୪ ନଭେମ୍ବର (ହି.ସ.)। ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀର ଆଇନଜୀବୀ ହିମାଂଶୁ ଶେଖର ଓରଫ ମୋହିତଙ୍କୁ ଗିରଫ କରିଛି। ରାୟପୁରର ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତ ଏହି ହାଇପ୍ରୋଫାଇଲ୍ ମାମଲାରେ ପ୍ରଥମ ଥର ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଶୁଣାଣି କରି ଅଭିଯୁକ୍ତ ଆଇନଜୀବୀଙ୍କୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରଖି ପଚରାଉଚରା କରିବାକୁ ଅନୁମତି ଦେଇଛନ୍ତି।

ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ମହାଦେବ ଆପ୍ର ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ହେପାଜତକୁ ନେଇ ପଚରାଉଚରା କରାଯାଇଥିଲା। ଏହି ସମୟରେ ହିମାଂଶୁ ଶେଖରଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, ହିମାଂଶୁ ଗତ ତିନି ବର୍ଷ ମଧ୍ୟରେ ଅନେକ ଥର ଦୁବାଇ ଯାଇ ସେଠାରେ ସୌରଭ ଚନ୍ଦ୍ରାକରଙ୍କୁ ଭେଟିଥିଲେ। ମହାଦେବ ଆପ୍ ଏବଂ ଏହାର ପ୍ରମୋଟରମାନଙ୍କ ବିରୋଧରେ ଚାଲିଥିବା ସମସ୍ତ ଅପରାଧିକ ମାମଲାର ସମାଧାନ କରାଇଦେବାକୁ ସେ ଭରସା ଦେଇଥିବା ଅଭିଯୋଗ ହୋଇଛି।

ହିମାଂଶୁ ଦେଶ ଛାଡ଼ି ଫେରାର ହୋଇଯିବା ଆଶଙ୍କାରେ ଇଡି ପକ୍ଷରୁ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ନଭେମ୍ବର ୨୦ ତାରିଖରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଯିବା ସମୟରେ ଇମିଗ୍ରେସନ୍ ବିଭାଗ ତାଙ୍କୁ ଅଟକାଇଥିଲା। ଏହାପରେ ନଭେମ୍ବର ୨୧ ତାରିଖ ଭୋର୍ରେ ଇଡି ତାଙ୍କୁ ଗିରଫ କରିଥିଲା। ତେବେ ୨୪ ଘଣ୍ଟାର ନିୟମକୁ ଆଧାର କରି ମୁମ୍ବାଇର ପିଏମ୍ଏଲ୍ଏ ଅଦାଲତ ତାଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡ ଆବେଦନକୁ ଖାରଜ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି ଇଡିକୁ ପୁନର୍ବାର ଗିରଫ କରିବାକୁ ଅନୁମତି ଦେଇଥିଲେ।

ଇଡି ଅଦାଲତଙ୍କୁ ଜଣାଇଛି ଯେ, ମହାଦେବ ଅନଲାଇନ୍ ବେଟିଂ ଆପ୍ର ବେଆଇନ୍ କାରବାର ଏବଂ ଏହା ସହ ଜଡ଼ିତ ଅର୍ଥ ହେରଫେର କାର୍ଯ୍ୟକଳାପ ଏବେ ମଧ୍ୟ ଜାରି ରହିଛି। ଏହି ଅପରାଧରୁ ମିଳିଥିବା ମୋଟ ଆୟ ୯୨,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସଂସ୍ଥା ଅନୁଯାୟୀ, ସମସ୍ତ ଅପରାଧିକ ମାମଲାରେ ଆଶ୍ୱସ୍ତି ଦେବାର ପ୍ରତିଶ୍ରୁତି ଦେଇ ହିମାଂଶୁ ଶେଖର ଅକ୍ଟୋବର ୨୦୨୩ରେ କଥିତ ଭାବେ ୧୫ କୋଟି ଟଙ୍କା ନେଇଥିଲେ। ଏହା ସହିତ ଡିସେମ୍ବର ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଦିଲ୍ଲୀ ଓ ମୁମ୍ବାଇର ହୱାଲା ଅପରେଟରମାନଙ୍କ ମାଧ୍ୟମରେ ଅନେକ କିସ୍ତିରେ ବିପୁଳ ପରିମାଣର ନଗଦ ଟଙ୍କା ଆଦାୟ କରିଥିଲେ।

ଅଭିଯୁକ୍ତଙ୍କ ଓକିଲ ଫୈଜଲ ରିଜଭି କହିଛନ୍ତି ଯେ, ହିମାଂଶୁ ଶେଖର ନଭେମ୍ବର ୨୩ ତାରିଖ ଅପରାହ୍ନ ୪ଟା ୨୫ ମିନିଟ୍ରେ ନିଜେ ଇଡିର ରାୟପୁର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ପକ୍ଷରକ୍ଷୀ ଓକିଲ ରାୟପୁରର ସ୍ୱତନ୍ତ୍ର ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଯେ, ଇଡି କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଏବଂ ପ୍ରବେଶ ରେଜିଷ୍ଟରକୁ ସୁରକ୍ଷିତ ରଖାଯାଉ, ଯାହାଦ୍ୱାରା ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ କରାଯାଇପାରିବ।

ବର୍ତ୍ତମାନ ସୌରଭ ଚନ୍ଦ୍ରାକର, ଯାହାଙ୍କୁ ଚଳିତ ମାସ ଆରମ୍ଭରେ ସିବିଆଇ ଓମାନରୁ ପ୍ରତ୍ୟର୍ପଣ କରି ଭାରତ ଆଣିଥିଲା, ସେ ରାୟପୁର କେନ୍ଦ୍ରୀୟ ଜେଲ୍ରେ ନ୍ୟାୟିକ ହେପାଜତରେ ଅଛନ୍ତି। ଇଡି ଏବେ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ହିମାଂଶୁ ଶେଖରଙ୍କୁ ହୱାଲା ନେଟୱର୍କ ଏବଂ ଏହି କାରବାରରେ ସାମିଲ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପର୍କରେ ପଚରାଉଚରା କରିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande