
ସୁବର୍ଣ୍ଣପୁର, ୨୪ ନଭେମ୍ବର(ହି.ସ.) – ଗତ ତିନିଦିନ ହେଲା ନିଖୋଜ ଥିବା ଜଣେ ଯୁବକଙ୍କ ଶବ ଆଜି ଜଙ୍ଗଲ ଭିତରୁ ଠାବ ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ଏବେ ସନ୍ଦେହ ଘେରରେ ରହିଛି ଗାଁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବିରସିଂହପୁର ଗାଁ ନିକଟ ଜଙ୍ଗଲରେ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି। ମୃତକ ଜଣକ ସେହି ଗାଁର ଚନ୍ଦନ ପଧାନ, ବୟସ ୧୮ ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ କହିବା ଅନୁସାରେ, ଚନ୍ଦନ ଗତ ୨୧ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତା ମିଳି ନ ଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଗାଁ ନିକଟ ଜଙ୍ଗଲ ଭିତରେ ତାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବୀରମହାରାଜପୁର ଆଇଆଇସି ଯଯାତି କେଶରୀ ସାହୁ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାସ୍ଥଳ ଯାଂଚ କରିଛନ୍ତି। ଶବ ନିକଟରୁ ଯୁବକଙ୍କ ଚପଲ ଏବଂ ଏକ ବୋତଲ ଉଦ୍ଧାର କରାଯାଇଛି। ଏହାକୁ ନେଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ହତ୍ୟା ସନ୍ଦେହକୁ ମଧ୍ୟ ଏଡ଼ାଇ ଦିଆଯାଇ ନାହିଁ। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏଥିସହ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମାତ୍ର ୧୮ ବର୍ଷ ବୟସରେ ଚନ୍ଦନଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ତଦନ୍ତ ପରେ ହିଁ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ିବ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ