
ଝାରସୁଗୁଡ଼ା ସହରର ବାୟୁ ଗୁଣବତ୍ତା ଉନ୍ନତି ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ
ଝାରସୁଗୁଡ଼ା, ୨୪ ନଭେମ୍ବର (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ତୃତୀୟ ଜିଲ୍ଲା ସ୍ତରୀୟ ପରିବେଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଝାରସୁଗୁଡ଼ା ଜୋନର ପରିବେଶ ବୈଜ୍ଞାନିକ ଅନୁସୂୟା ଏକ୍କା ବୈଠକର ପରିଚାଳନା କରିବା ସହିତ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀ, ସମସ୍ତ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଏବଂ ଜିଲ୍ଲା ବୃକ୍ଷରୋପଣ ତଦାରଖ କମିଟି ପକ୍ଷରୁ ପ୍ରହ୍ଲାଦ ନାଏକ୍ ପ୍ରମୁଖ ଯୋଗ ଦେଇଥିଲେ।
ବୈଠକରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଝାରସୁଗୁଡ଼ାକୁ ଏକ 'ନନ୍-ଆଟେନମେଣ୍ଟ ସିଟି' ଭାବରେ ଚିହ୍ନଟ କରାଯାଇଥିବା ବିଷୟରେ ଆଲୋଚନା ହୋଇଥିଲା । ଏଥିପାଇଁ ସହର-ଭିଭିକ କାର୍ଯ୍ୟ ଯୋଜନାର ସଫଳ ରୂପାୟନ ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ବିଶେଷ କରି ପୌରାଞ୍ଚଳ ମଧ୍ୟରେ ବାୟୁମଣ୍ଡଳର ଗୁଣବତ୍ତା ବଜାୟ ରଖିବା ଏବଂ ଧୂଳିକଣା ବା ପାର୍ଟିକୁଲେଟ୍ ମ୍ୟାଟର ର ସାନ୍ଦ୍ରତା ହ୍ରାସ କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଚିହ୍ନଟ କରି ସେଗୁଡ଼ିକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ