
ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଶାସକ ଓ ବିରୋଧୀ ଦଳର ବହୁ ନେତା ମଙ୍ଗଳବାର ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, ଗୁରୁ ନାନକ ଦେବଙ୍କ 'ଇକ୍ ଓଁକାର' ବାର୍ତ୍ତା ପ୍ରକୃତରେ ସମଗ୍ର ମାନବଜାତିର ଏକତାର ବାର୍ତ୍ତା। ସେ ଜାତିଭେଦ, ଉଚ୍ଚନୀଚ ଓ ଭେଦଭାବମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ ଦେବା ସହ ପ୍ରେମ, କରୁଣା ଓ ମାନବ ସେବାକୁ ଜୀବନର ଆଧାର କରିବାକୁ ଶିକ୍ଷା ଦେଇଥିଲେ। ତାଙ୍କ ଶିକ୍ଷାରେ 'ନାମ ଜପୋ, କିରତ କରୋ ଓ ବଣ୍ଟ ଛକୋ'ର ବିଶେଷ ମହତ୍ତ୍ୱ ରହିଛି। ଈଶ୍ୱରଙ୍କୁ ସ୍ମରଣ କରିବା, ସଚ୍ଚୋଟତା ଓ ପରିଶ୍ରମ ଦ୍ୱାରା ଜୀବିକା ଅର୍ଜନ କରିବା ଏବଂ ନିଜ ଉପାର୍ଜନକୁ ଅନ୍ୟମାନଙ୍କ ସହ ବାଣ୍ଟିବାର ବାର୍ତ୍ତା ସେ ଦେଇଥିଲେ। ଲଙ୍ଗର ପରମ୍ପରା ମାଧ୍ୟମରେ ସେ ସାମାଜିକ ସମାନତା ଓ ନିଃସ୍ୱାର୍ଥପର ସେବାର ଏକ ବ୍ୟବହାରିକ ଉଦାହରଣ ଉପସ୍ଥାପନ କରିଥିଲେ। ଆସନ୍ତୁ, ଏହି ପବିତ୍ର ଅବସରରେ ଗୁରୁ ନାନକ ଦେବଜୀଙ୍କ ଶିକ୍ଷାକୁ ଆପଣାଇବା ସହ ସେବା, ସମାନତା ଓ ସଦ୍ଭାବନାର ମୂଲ୍ୟବୋଧ ଆଧାରରେ ସମାଜ ତଥା ରାଷ୍ଟ୍ରର କଲ୍ୟାଣରେ ଯୋଗଦାନ ଦେବାକୁ ସଂକଳ୍ପ ନେବା।
ଉପରାଷ୍ଟ୍ରପତି କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ଶାଶ୍ୱତ ଶିକ୍ଷା ସତ୍ୟ, ସମାନତା, କରୁଣା, ନିଃସ୍ୱାର୍ଥପର ସେବା ଓ ବିଶ୍ୱ ଭ୍ରାତୃତ୍ୱର ଭାବନା ଆଜି ମଧ୍ୟ ମାନବଜାତିକୁ ମାର୍ଗଦର୍ଶନ କରୁଛି। ଏହି ଶିକ୍ଷା ଶାନ୍ତି, ସଦ୍ଭାବନା ଓ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ସମାଜ ଗଠନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେଉଛି।
ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ଜୀବନ ଓ ଦର୍ଶନ ମାନବିକତା, ଆଧ୍ୟାତ୍ମିକ ଚେତନା ଏବଂ ନୈତିକ ମୂଲ୍ୟବୋଧର ଏକ ଅନନ୍ୟ ପ୍ରେରଣା। ନିଜ ବାଣୀ ଓ ଉପଦେଶ ମାଧ୍ୟମରେ ଏକ ଓଁକାର, ସତ୍ୟ, ପ୍ରେମ, କରୁଣା ଓ ସେବାର ବାର୍ତ୍ତା ଦେଇ ସେ ମାନବ ଜୀବନକୁ ସଦାଚାର ଓ ପରୋପକାରର ମାର୍ଗ ଦେଖାଇଥିଲେ। ଗୁରୁ ନାନକ ଦେବଙ୍କ ଅମୃତବାଣୀ ଓ ଉଦାତ୍ତ ଚିନ୍ତାଧାରା ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅମୂଲ୍ୟ ସମ୍ପଦ। ଏହା ଯୁଗଯୁଗ ଧରି ସମାଜକୁ ସତ୍ୟ, ପ୍ରେମ, ଶାନ୍ତି ଓ ଲୋକକଲ୍ୟାଣର ପଥରେ ଆଲୋକିତ କରିଚାଲିବ।
ରାଜନାଥ ସିଂହ କହିଛନ୍ତି ଯେ ଗୁରୁ ନାନକ ଦେବ ସମଗ୍ର ମାନବଜାତିକୁ ପ୍ରେମ, ସମାନତା, ସେବା ଓ ସଦ୍ଭାବନାର ବାର୍ତ୍ତା ଦେଇଥିଲେ। ସେ ଜାତିଭେଦ, ଉଚ୍ଚନୀଚ ଓ ଭେଦଭାବମୁକ୍ତ ଏକ ଏପରି ସମାଜର କଳ୍ପନା କରିଥିଲେ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ସମାନ ସମ୍ମାନ ଓ ମର୍ଯ୍ୟାଦା ପାଇବେ। ତାଙ୍କ ବାଣୀ ଓ ଶିକ୍ଷା ଆଜି ମଧ୍ୟ ମାନବଜାତିକୁ ସେବା, କରୁଣା, ପରୋପକାର ଓ ଭାଇଚାରାର ପଥରେ ଚାଲିବାକୁ ପ୍ରେରଣା ଦେଉଛି।
କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗୁରୁ ନାନକ ଦେବ ଗୋଟିଏ ପଟେ ଈଶ୍ୱରଙ୍କ ପ୍ରତି ଆସ୍ଥା ଓ ସଦାଚାରର ଜ୍ୟୋତି ପ୍ରଜ୍ୱଳିତ କରିଥିବା ବେଳେ ଅନ୍ୟପଟେ ଭେଦଭାବମୁକ୍ତ ସମାଜ, ଭାଇଚାରା ଓ ନାରୀ ସମ୍ମାନର ମାର୍ଗ ମଧ୍ୟ ଦେଖାଇଥିଲେ। ଲଙ୍ଗର ପରମ୍ପରା ଓ ଧର୍ମଶାଳା ସ୍ଥାପନ ମାଧ୍ୟମରେ ସେ ସେବା ଓ ସାମାଜିକ ସମରସତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ଶିକ୍ଷା ଅନନ୍ତକାଳ ପର୍ଯ୍ୟନ୍ତ ସତ୍ୟ, ପରୋପକାର ଓ ଲୋକକଲ୍ୟାଣର ପଥରେ ଚାଲିବାକୁ ପ୍ରେରଣା ଦେଉଥିବ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ବିଚାର ସର୍ବଦା ସମସ୍ତଙ୍କୁ ରାଷ୍ଟ୍ରହିତର ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥାଏ।
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ଗୁରୁ ନାନକଙ୍କ ପବିତ୍ର ଶିକ୍ଷା ସତ୍ୟ, ସମାନତା, ନିଃସ୍ୱାର୍ଥପର ସେବା ଓ ପ୍ରେମର ପଥରେ ଚାଲିବାକୁ ସର୍ବଦା ପ୍ରେରଣା ଦେଉଥାଉ। ତାଙ୍କ ଜୀବନ ଦର୍ଶନ ସମାଜରେ ଏକତା, ଭାଇଚାରା ଓ ମାନବ କଲ୍ୟାଣର ଭାବନାକୁ ସର୍ବଦା ମଜବୁତ କରୁଥାଉ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଆଜି ବିଶ୍ୱରେ ଯେତେ ସମସ୍ୟା ରହିଛି, ସେସବୁର ସମାଧାନ ଗୁରୁ ନାନକ ଦେବଙ୍କ ଶିକ୍ଷାରେ ରହିଛି। ଗୁରୁଙ୍କ କୃପା ଓ ଆଶୀର୍ବାଦରେ ପ୍ରତ୍ୟେକ ହୃଦୟରେ ପ୍ରେମ, ସେବା ଓ ସଦ୍ଭାବନାର ପବିତ୍ର ଜ୍ୟୋତି ପ୍ରଜ୍ୱଳିତ ହେଉ ଏବଂ ସମସ୍ତଙ୍କର ମଙ୍ଗଳ ହେଉ। ଗୁରୁଙ୍କ ଶ୍ରୀଚରଣରେ ଏହା ହିଁ ମୋର ପ୍ରାର୍ଥନା।
କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ସମାନତା, କରୁଣା, ଭାଇଚାରା ଓ ନିଃସ୍ୱାର୍ଥପର ସେବା ସମ୍ପର୍କରେ ଗୁରୁ ନାନକ ଦେବଙ୍କ ଶାଶ୍ୱତ ଶିକ୍ଷା ଆଜି ମଧ୍ୟ ମାନବଜାତିକୁ ମାର୍ଗଦର୍ଶନ କରୁଛି। ଏହି ଶିକ୍ଷା ଧର୍ମ, ଜାତି ଓ ସମ୍ପ୍ରଦାୟର ସମସ୍ତ ସୀମାରୁ ଊର୍ଦ୍ଧ୍ୱରେ। ଏହି ପବିତ୍ର ଅବସର ସମସ୍ତଙ୍କୁ ସତ୍ୟ, ମର୍ଯ୍ୟାଦା ଓ ସଦ୍ଭାବନା ବଜାୟ ରଖିବାକୁ ପ୍ରେରଣା ଦେଉ ଏବଂ 'ସରବତ୍ ଦା ଭଲା' (ସମସ୍ତଙ୍କର କଲ୍ୟାଣ) ପ୍ରତି ଆମର ସାମୂହିକ ସଂକଳ୍ପକୁ ଆହୁରି ଦୃଢ଼ କରୁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା