
କନ୍ନୌଜ (ଉତ୍ତରପ୍ରଦେଶ), ୨୪ ନଭେମ୍ବର (ହି.ସ.)। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ୱେରେ ମଙ୍ଗଳବାର ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଠଠିଆ ଥାନା ଅଞ୍ଚଳର ମାଇଲଷ୍ଟୋନ୍ ୨୧୦ ନିକଟରେ ସକାଳ ପ୍ରାୟ ୬ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି। ଆଗ୍ରାରୁ ପିକ୍ନିକ୍ ସାରି ଫେରୁଥିବା କୌଶାମ୍ବୀର ଓରିଏଣ୍ଟାଲ ପବ୍ଲିକ୍ ସ୍କୁଲର ବସ୍କୁ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଫଳରେ ବସ୍ର ପଛ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ଅନେକ ସିଟ୍ ଭାଙ୍ଗି ଯାଇଥିଲା। ବସ୍ରେ ଥିବା ଅନେକ ଛାତ୍ରଛାତ୍ରୀ ଭିତରେ ଫସି ରହିଥିଲେ।
ସୂଚନା ଅନୁଯାୟୀ, ପିଲାମାନଙ୍କୁ ଶୌଚ କରାଇବା ପାଇଁ ଡ୍ରାଇଭର ଏକ୍ସପ୍ରେସ୍ୱେ କଡ଼ରେ ବସ୍ଟିକୁ ଅଟକାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଟ୍ରକ୍ଟି ବସ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ କାନ୍ଦବୋବାଳି ଶୁଣିବାକୁ ମିଳିଥିଲା। ଖବର ପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲା। ବହୁ ପରିଶ୍ରମ ପରେ ପିଲାମାନଙ୍କୁ ବସ୍ରୁ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ତିର୍ବାସ୍ଥିତ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ୪ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।
ମୃତକମାନଙ୍କୁ ଆର୍ଯ୍ୟନ ଚୌରସିଆ (୧୪), ରଜିଉଲ୍ଲା (୧୬), ଜୈଦ ମିର୍ଜା (୧୭) ଏବଂ ଅରମାନ (୧୭) ଭାବେ ଚିହ୍ନଟ କରାଯାଇଛି। ଆର୍ଯ୍ୟନ ଓ ରଜିଉଲ୍ଲା କୌଶାମ୍ବୀର ଅଫଜଲପୁରୱାରୀ ମୋହବତପୁରର ବାସିନ୍ଦା ହୋଇଥିବାବେଳେ ଜୈଦ ଫତେପୁରର ନିଦୌରା ଏବଂ ଅରମାନ ଗୌରେ ଖକରେଡ଼ର ବାସିନ୍ଦା ଥିଲେ। ଦୁର୍ଘଟଣାରେ ସ୍କୁଲ ପରିଚାଳକ ସଲମାନ ଏବଂ ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କାନପୁରର ହାଲେଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସ୍କୁଲ ପରିଚାଳନା କମିଟି ଅନୁଯାୟୀ, ବସ୍ରେ ୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଥିଲେ। ସମସ୍ତେ ଆଗ୍ରାର ତାଜମହଲ ବୁଲିବାକୁ ଯାଇଥିଲେ ଏବଂ ସେଠାରୁ କୌଶାମ୍ବୀ ଫେରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲାପାଳ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ ଏସ୍ପି ବିନୋଦ କୁମାର ମେଡିକାଲ କଲେଜରେ ପହଞ୍ଚିଥିଲେ। ସେମାନେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଡାକ୍ତରମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷିତ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ଏକ ଗାଡ଼ି ଯୋଗେ କୌଶାମ୍ବୀ ପଠାଇବାର ବ୍ୟବସ୍ଥା କରାଯାଇଛି। ପୁଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା